ଜଣେ ବ୍ୟକ୍ତି ହଠାତ୍ ଦୃଷ୍ଟି ଶକ୍ତିି ହରାଇଲେ। ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଚଳଚଞ୍ଚଳ ଥିବା ଏହି ବ୍ୟକ୍ତିଙ୍କୁ ଅନେକ ଦିନ ପର୍ଯ୍ୟନ୍ତ କେହି ଦେଖିବାକୁ ପାଇଲେ ନାହିଁ। ସେ ବିଷଣ୍ଣତାରେ ବୁଡ଼ି ଘରୁ ବାହାରିଲେ ନାହିଁ। କିନ୍ତୁ ଦିନେ ସେ ବାହାରକୁ ବାହାରିଲେ। ହଠାତ୍ ଦୃଷ୍ଟିଶକ୍ତି ହରାଇବା ଜନିତ ଅସୁବିଧା ସବୁକୁ ଜିଣି ନିଜ ଜୀବନକୁ ଚଳାଇବା ଲାଗି ସେ ସମର୍ଥ ହେଲେ। ତା ସହିତ ସେ ଏକ ନୂଆ କାର୍ଯ୍ୟ ଆରମ୍ଭ କଲେ। କିଛି ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରି ଚଞ୍ଚଳ ସେହି ସହରରେ ଜଣାଶୁଣା ବି ହୋଇଗଲେ।
ଥରେ ତାଙ୍କର ଜଣେ ପୁରୁଣା ବନ୍ଧୁ ତାଙ୍କୁ କହିଲେ- ଭାଇ, ମାନିଗଲି, ତୁମର ଆତ୍ମପ୍ରତ୍ୟୟକୁ। ତୁମେ ଆଜି ଅନ୍ୟମାନଙ୍କ ଲାଗି ଏକ ଦୃଷ୍ଟାନ୍ତ ପାଲଟି ଯାଇଛ।
Sambad is now on WhatsApp
Join and get latest news updates delivered to you via WhatsApp
ଦୃଷ୍ଟିହୀନ ବ୍ୟକ୍ତି ଜଣକ କହିଲେ- ମୁଁ ସତରେ କିଛି ହୋଇପାରି ନ ଥାଆନ୍ତି ଯଦି ଭାଗ୍ୟକୁ ଜଣେ ସୁପୁରୁଷଙ୍କ ଉପଦେଶ ଶୁଣିବାର ସୌଭାଗ୍ୟ ପାଇ ନ ଥାଆନ୍ତି। ଦୃଷ୍ଟି ଶକ୍ତି ହରାଇବା ପରେ ମୁଁ ଗଭୀର ବିଷାଦଗ୍ରସ୍ତ ହୋଇ ପଡ଼ିଥିବା ବେଳେ ମୋର ଜଣେ ସ˚ପର୍କୀୟ ମୋତେ ନେଇଗଲେ ତାଙ୍କ ଗୁରୁଙ୍କ ପାଖକୁ। ଗୁରୁ ମୋତେ କହିଲେ- ପୃଥିବୀରେ କୋଟି କୋଟି ଲୋକଙ୍କ ଦୃଷ୍ଟି ଶକ୍ତି ଅଛି। କିନ୍ତୁ ସେମାନେ କିଛି ଅଲଗା କରିପାରିଛନ୍ତି କି? ତେଣୁ ଦେଖିବାର କ୍ଷମତା ବିଶେଷ ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଉଛି ସ୍ବପ୍ନ ଦେଖିବାର କ୍ଷମତା। ଭଗବାନ ତୁମର ଦେଖିବାର କ୍ଷମତା ନେଇଯାଇଛନ୍ତି ସିନା, ତୁମର ସ୍ବପ୍ନ ଦେଖିବାର କ୍ଷମତା ଅପହରଣ କରିନାହାନ୍ତି। ତେଣୁ ତୁମେ ଆଉ କିଛି ନ ଦେଖି ପାରିଲ ନାହିଁ, ସ୍ବପ୍ନ ତ ଦେଖିପାରିବ! ସ୍ବପ୍ନକୁ ଚରିତାର୍ଥ କରିବା ଲାଗି କାମ ତ ଆରମ୍ଭ କରିପାରିବ! ଜାଣ, ଏତିକି କଥାରେ ମୋତେ ନୂଆ ବାଟ ଦିଶିଗଲା।