ଯାହା ଭାବ ଚଳିବ

କଥାଟିଏ-ଯାଯାବର

ଥରେ ମୁଲ୍ଲା ନାମୀ ଓକିଲଙ୍କୁ ଯାଇ କହିଲେ- ଆଜ୍ଞା, ରାସ୍ତାରେ ଜଣେ ଲୋକ ଯାଉଥିଲା। ମୋ ପୁଅ ବି ଯାଉଥିଲା। ତାକୁ ମୋ ପୁଅର ଚେହେରା କାହିଁକି ଖରାପ ଲାଗିଲା କେଜାଣି ତାକୁ ବିନା କାରଣରେ ଛେଚିଲା। ଏବେ ମୁଁ ତା’ ନାମରେ କେସ୍‌ କରିବି। କେସ୍‌ ଜିତିବାର ସମ୍ଭାବନା କେତେ?
ଓକିଲ କହିଲେ- ମୋ ପାଖକୁ କେସ୍‌ ଆଣିବ ତ ତୁମ ଜିତିବା ନିଶ୍ଚିତ। ଏଟା ତ ସିଧା କଥା। ବିନା କାରଣରେ ସେ ପିଟିଛି!
ମୁଲ୍ଲା କହିଲେ- ହଉ ଯାଉଛି, କାଲି ଆସିବି।
ପର ଦିନ ମୁଲ୍ଲା ଆସିଲେ ଓ ଓକିଲଙ୍କୁ ପୂରା ଓଲଟା କାହାଣୀ ଶୁଣାଇ କହିଲେ- ମୋ ପୁଅ ଅକାରଣରେ ଜଣେ ଲୋକକୁ ପ୍ରବଳ ପିଟିଛି। ସେ ମୋ ପୁଅ ବିରୋଧରେ କେସ୍‌ କରିବାକୁ ବାହାରିଲାଣି। ଏବେ ମୋ ପୁଅର ଜିତିବାର ସମ୍ଭାବନା କେତେ?
ଓକିଲ କହିଲେ- ତୁମେ ବଡ଼ ବିଚିତ୍ର ଲୋକ। ଅସଲ କଥା କ’ଣ କୁହ?
ମୁଲ୍ଲା କହିଲେ- ପ୍ରଥମେ କୁହ ଆଜି ଯେଉଁ କଥା କହିଲି ସେଭଳି କେସ୍‌ରେ ମୋ ପୁଅର ଜିତିବାର ସମ୍ଭାବନା କେତେ?
ଓକିଲ କହିଲେ- ତୁମେ ଆଜି ଯେଉଁ କଥା କହୁଛ ସେଥିରେ ବି ମୁଁ ଲଢ଼ିଲେ ତୁମେ କେସ୍‌ ଜିତିବା ନିଶ୍ଚିତ। ତୁମ ପୁଅ ପିଟିଛି ମାନେ କିଛି କାରଣ ତ ଥିବ!
ମୁଲ୍ଲା ଉଠିଲେ ଓ କହିଲେ- ମୁଁ ଯାଉଛି। ଆଉ ଆସିବି ନାହିଁ। କାରଣ ତୁମେ ଯଦି ଦୁଇଟି ଯାକ କେସ୍‌ ଜିତିଯାଇପାରିବ, ତେବେ ମକଦ୍ଦମା କରିବା ବେକାର।
ଓକିଲ ପଚାରିଲେ- ହେଲେ ମୁଲ୍ଲା ସତ କଥାଟି ତ କୁହ! କିଏ କାହାକୁ ବାଡ଼େଇଲା?
ମୁଲ୍ଲା କହିଲେ- ଆଉ ଜାଣି ଲାଭ କ’ଣ? ତୁମେ ଯାହା ଭାବ ଚଳିବ।

ସମ୍ବନ୍ଧିତ ଖବର