ବଗିଚାରେ ଜଙ୍ଗଲୀ ଫୁଲ

କଥାଟିଏ-ଯାଯାବର

ଜଣେ ଜମିଦାରଙ୍କ ବହୁତ ବଗିଚା ସଉକ ଥିଲା। ସେ ମାଳୀକୁ ଲଗାଇ ବଗିଚାରେ ଗୋଟିଏ ବଡ଼ ଫୁଲ ଶଯ୍ୟା ତିଆରି କଲେ। କିନ୍ତୁ ଦେଖିଲା ବେଳକୁ ତା’ ଭିତରେ କିଛି ଜଙ୍ଗଲୀ ଫୁଲ ବି ଫୁଟିଲା। ଏଥିରେ ଜମିଦାର ବିବ୍ରତ ହୋଇ ପଡ଼ିଲେ। ଜଙ୍ଗଲୀ ଫୁଲ ଦୂର କରିବା ଲାଗି ସେ ମାଳୀକୁ ବିଭିନ୍ନ ଉପାୟ କରିବାକୁ ଆଦେଶ ଦେଲେ। ମାଳୀ ମଧ୍ୟ ନିଜର ବୁଦ୍ଧି ଓ ଅଭିଜ୍ଞତା ଖଟାଇ ବହୁତ ଉଦ୍ୟମ କଲା। କିନ୍ତୁ କିଛି ଲାଭ ହେଲା ନାହିଁ। ଜଙ୍ଗଲୀ ଲଟାକୁ ମୂଳରୁ ଉପାଡ଼ି ଦେଲା ପରେ ବି ତାର କିଛି ଅଂଶ ରହିଯାଇ ସବୁ ବେଳେ କିଛି ଦିନ ପରେ ପୁଣି ଫୁଲ ଫୁଟିଲା। ଜମିଦାର ମୁହ୍ୟମାନ ହୋଇ ପଡ଼ିଲେ। ଏହି କଥାଟି ତାଙ୍କ ମୁଣ୍ଡ ଭିତରକୁ ଏମିତି ପଶିଗଲା ଯେ ସେ ମନ ମାରି ବସି ରହିଲେ।

ଦିନେ ସେଇ ବାଟ ଦେଇ ଜଣେ ସାଧୁ ଯାଉଥିଲେ। ଜମିଦାର ତାଙ୍କୁ ନିଜ ଘରକୁ ଡାକିଲେ ଏବଂ ତାଙ୍କୁ ନିଜ ମନ କଥା ଜଣାଇଲେ। ସାଧୁ ଏହା ଶୁଣି କହିଲେ- ତୁମେ ରାସ୍ତାରେ ଯାଉଛ, ବର୍ଷା ହେଲା। ତୁମେ ବର୍ଷାକୁ ବନ୍ଦ କରିବାକୁ ଇଚ୍ଛା କରୁଛ ନା ଛତା ଖୋଲୁଛ? କଥା ସେମିତି! ଏହି ଯେଉଁ ଜଙ୍ଗଲୀ ଫୁଲ ତାହା ପ୍ରକୃତିର ଉପଜ, ତାହା ତୁମ ବଗିଚାର ନିୟମକୁ ବୁଝେନାହିଁ। ତାକୁ ଦୂର କରିବାର ସବୁ ଚେଷ୍ଟା ବ୍ୟର୍ଥ ହେଲାଣି ଅର୍ଥ, ଏବେ ତୁମେ ନିଜକୁ ବଦଳାଅ। ବଗିଚାର ଫୁଲ ଶଯ୍ୟାରେ ଏମିତି କିଛି ଜଙ୍ଗଲୀ ଫୁଲ ରହିବେ, ତାହା ସ୍ବୀକାର କରିନିଅ। ତାହା ହେଲେ‌ ତୁମକୁ ଅନ୍ତତଃ ଶାନ୍ତି ମିଳିବ। ବିବ୍ରତବୋଧ ଦୂର ହେବ। ତାହା ନ ହେଲେ ଜଙ୍ଗଲୀ ଫୁଲ ତ ଦୂର ହେବ ନାହିଁ; ମନରୁ ଅଶାନ୍ତି ମଧ୍ୟ ଦୂର ହେବ ନାହିଁ। ପରିସ୍ଥିତି ନ ବଦଳିଲେ, ନିଜେ ବଦଳିବାକୁ ଚେଷ୍ଟା କର।

ସମ୍ବନ୍ଧିତ ଖବର