ଜଣେ ଲୋକ ଗୋଟିଏ ଛେଳି ପାଳିଥିଲା। ସେ ତାକୁ ଖୁବ୍ କଅଁଳିଆ ଘାସ ଖାଇବାକୁ ଦେଉଥିଲା। ତା’ର ସବୁ ପ୍ରକାର ଯତ୍ନ ନେଉଥିଲା। ତାକୁ ମଝିରେ ମଝିରେ ବହୁତ ଗେହ୍ଲା କରୁଥିଲା। ଛେଳିଟି ବି ଲୋକଟିକୁ ପ୍ରାଣ ଠାରୁ ଅଧିକ ଭଲ ପାଉଥିଲା।
ନାରଦ ଦିନେ ଭଗବାନ ବିଷ୍ଣୁଙ୍କୁ କହିଲେ- ଦେଖନ୍ତୁ ପ୍ରଭୁ ଛେଳିଟିର ସରଳ ବିଶ୍ବାସ ଭାବକୁ। ସେ କେମିତି ଲୋକଟିକୁ ଅନ୍ଧ ଭଳି ବିଶ୍ବାସ କରୁଛି। ସେ ଜାଣିନାହିଁ ଲୋକଟିର ଅସଲ ଉଦ୍ଦେଶ୍ୟ କ’ଣ?
ଭଗବାନ କହିଲେ- ତୁମେ ଛେଳିକୁ ଯାଇ ଥରେ ଚେତାଇ ଦେଉନା?
ନାରଦ ଛେଳି ପାଖକୁ ଗଲେ ଏବ˚ ଲୋକଟି ଯେ ଦିନେ ତାକୁ ମାରିଦେବ ସେ ବାବଦରେ କହିଲେ। ଛେଳିଟି ବିଶ୍ବାସ କଲା ନାହିଁ। ଦିନେ ସେଇ ଲୋକଟି ହାତରେ ଛୁରୀଟିଏ ଧରି ଆସିଲା ଏବ˚ ଛେଳିକୁ ଡାକିଲା। ସବୁ ଦିନ ଭଳି ଛେଳି ଲୋକଟିର ପଛରେ ଚାଲିଲା। ଲୋକଟିର ହାତରେ ଛୁରୀ ଦେଖି ସୁଦ୍ଧା ତା’ ମନରେ କୌଣସି ଭାବାନ୍ତର ଆସିଲା ନାହିଁ। ଲୋକଟି ତାକୁ ମାରିଲା ପର୍ଯ୍ୟନ୍ତ ସେ ବିଶ୍ବାସ କରିଥିଲା ଯେ ସେ ସୁରକ୍ଷିତ।
ଏ କଥା ଦେଖି ନାରଦ ଭୀଷଣ ମର୍ମାହତ ହେଲେ।
ଭଗବାନ ଏଥର ନାରଦଙ୍କୁ ବୁଝାଇ କହିଲେ- ଏ ମର୍ତ୍ତ୍ୟରେ ସବୁ କିଛି ବିଦ୍ୟମାନ। ଗୋଟିଏ ପଟେ ଛେଳିର ସରଳ ବିଶ୍ବାସର ପରାକାଷ୍ଠା ତ ସେହି ଏକା ଜାଗାରେ ମଣିଷ ଦ୍ବାରା ବିଶ୍ବାସଘାତକତାର ଚରମ ଉଦାହରଣ। ସେଥି ଲାଗି ତ ମର୍ତ୍ତ୍ୟରେ ଏକ ସମତଳରେ ପାପ-ପୁଣ୍ୟ, ଧର୍ମ-ଅଧର୍ମ ଅବସ୍ଥାନ କରନ୍ତି ବୋଲି କୁହାଯାଏ। ଏହିଠାରେ ହିଁ ଦେବତ୍ବ ଓ ଦାନବତ୍ବର ପ୍ରମାଣ ମିଳେ। ତେଣୁ ତ ଏଠି ସୁଖ ଓ ଦୁଃଖ ଏକାଠି ମିଳନ୍ତି। ଏହା ହିଁ ମର୍ତ୍ତ୍ୟ ଚରିତ୍ର।
ମର୍ତ୍ତ୍ୟ ଚରିତ୍ର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)