ଗୁରୁ ନାନକଙ୍କ ଶିକ୍ଷା

କଥାଟିଏ-ଯାଯାବର

ଥରେ ଗୁରୁ ନାନକଙ୍କ ପାଖକୁ ଜଣେ ବ୍ୟକ୍ତି ଆସି କହିଲେ- ମୋତେ କିଛି ମହତ୍‌ ଶିକ୍ଷା ଦିଅନ୍ତୁ। ନାନକ କହିଲେ- ଗ୍ରନ୍ଥରୁ ପାଠ ଶିକ୍ଷାରେ ବିଶେଷ ଲାଭ ନାହିଁ। ଜୀବନର ଅନୁଭୂତିରୁ ଅନେକ କିଛି ଶିଖି ହୁଏ। ଏଣୁ ତୁମକୁ ଗୋଟିଏ କାମ ଦେଉଛି, ଯାହାକୁ ତୁମେ ଯଦି ବୁଦ୍ଧି ଓ ବିବେକ ଖଟାଇ କର, ତେବେ ତମେ ଲାଭବାନ ହେବ।
ବ୍ୟକ୍ତି ଜଣକ ପଚାରିଲେ- କେଉଁ କାମ?
ଗୁରୁ ନାନକ କହିଲେ- ତୁମେ କାଲି ଠାରୁ ଏହି ଗାଁର ସବୁଠାରୁ ଖରାପ ପ୍ରକୃତିର ଲୋକକୁ ଠାବ କରିବାର ଉଦ୍ୟମ କର।
ବ୍ୟକ୍ତି ଜଣକ କହିଲେ- ଏଇ କଥା? ଖୁବ୍‌ ଶୀଘ୍ର ଫେରିବି।
କିନ୍ତୁ ସେ କିଛି ଦିନ ଲାଗି ଫେରିଲେ ନାହିଁ। ଯେତେବେଳେ ସେ ଫେରିଲେ, ତାଙ୍କ ମୁହଁରେ ଏକ ପ୍ରକାରର ପ୍ରସନ୍ନତା ଥିଲା, ଯେମିତି ସେ କିଛି ଖୋଜି ପାଇଛନ୍ତି।
ନାନକ ତାଙ୍କୁ ପଚାରିଲେ- ସନ୍ଧାନ ପାଇଲ?
ସେହି ବ୍ୟକ୍ତି କହିଲେ- ସେମିତି ବ୍ୟକ୍ତିଙ୍କ ସନ୍ଧାନ ତ ଖୁବ୍‌ ଅଳ୍ପ ସମୟ ଭିତରେ ପାଇଗଲି। କିନ୍ତୁ ଦେଖିଲି ତାଙ୍କ ପାଖରେ ଯେଉଁ ଖରାପ ଗୁଣଗୁଡ଼ିକ ଅଛି, ତାହା ଅନ୍ୟମାନଙ୍କ ପାଖରେ ବି ଅଛି। ସେଇଠାରୁ ବିଚାରକରିବା ଆରମ୍ଭ କଲି। ଏଥର ଦିଶିଲା ଯେ ମୋ ପାଖରେ ମଧ୍ୟ ସେହି ସବୁ ଗୁଣ ଭରପୂର। ତା’ ପରେ ଯେତେ ଯେତେ ଅଧିକ ବିଚାର କଲି, ସେତେ ଅଧିକ ହୃଦ୍‌ବୋଧ ହେଲା ଯେ ସବୁଠାରୁ ଖରାପ ଲୋକ ଭିତରେ ମୁଁ ମଧ୍ୟ ଜଣେ, ଯାହା ମୋତେ ଦିଶୁନାହିଁ। ସେହି ବ୍ୟକ୍ତିଙ୍କୁ ଗୁରୁ ନାନକ ସାଧୁବାଦ ଦେଲେ।
ଏଭଳି ଦିବ୍ୟ ଜ୍ଞାନ ଲାଭ କରିବାର ସୁଯୋଗ ଦେଇଥିବାରୁ ସେହି ବ୍ୟକ୍ତି ଗୁରୁ ନାନକଙ୍କୁ ପ୍ରଣାମ ଜଣାଇଲେ।

ସମ୍ବନ୍ଧିତ ଖବର