ରାଜା ଥିଲେ ଅତି ମାତ୍ରାରେ ଗାୟନ ପ୍ରିୟ। ସଦା ବେଳେ ସେ କିଛି ନା କିଛି ଗାଉଥିଲେ ଏବଂ ଆଖପାଖରେ ଲୋକଙ୍କୁ ଶୁଣାଉଥିଲେ। ଏଥିରେ ସେ ଜମାରୁ ଥକୁ ନ ଥିଲେ। କିନ୍ତୁ ଏହା ଭିତରେ ଏକ ବିପଦ ଲୁଚି ରହିଥିଲା। ତାହା ହେଲା ରାଜା ଥିଲେ ସ˚ପୂର୍ଣ୍ଣ ବେସୁରା ଏବ˚ ତାଙ୍କ କଣ୍ଠ ଥିଲା ନିହାତି କର୍କଶ। କିନ୍ତୁ ସେ ରାଜା ହୋଇଥିବାରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜ ସଂଗୀତଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଗୀତ ଶୁଣି ବାଃ ବାଃ କରୁଥିଲେ।
ଦିନକର କଥା। ରାଜ ସ˚ଗୀତଜ୍ଞଙ୍କ ଜଣେ ବିଶିଷ୍ଟ ସ˚ଗୀତ ବିଶାରଦ ବନ୍ଧୁ ରାଜାଙ୍କୁ ଭେଟିଲେ। ରାଜା ତାଙ୍କୁ ପାଖରେ ପାଇ ଗୀତ ଶୁଣାଇଲେ। ଗୀତ ଶୁଣି ସାରି ରାଜ ସ˚ଗୀତଜ୍ଞଙ୍କ ବନ୍ଧୁ ଭାବିଲେ ଯେ ଏଭଳି ଗୀତକୁ ପ୍ରଶଂସା କରିବାର ଅର୍ଥ ହେଉଛି ମା’ ସରସ୍ବତୀଙ୍କ ଅବମାନନା। ତେଣୁ ସେ ବିନମ୍ରତାର ସହିତ କହିଲେ- ମହାରାଜା, ଟିକିଏ ବେସୁରା ହୋଇଗଲା।
ରାଜା ଏହା ଶୁଣି କହିଲେ- ତାହା ହେଲେ ଆଉ ଗୋଟିଏ ଶୁଣ। ଏଥର ସୁରରେ ଗାଉଛି। ଦ୍ବିତୀୟ ଗୀତ ଆହୁରି ବେସୁରା ଥିଲା। ଏଥର ମଧ୍ୟ ସଂଗୀତଜ୍ଞଙ୍କ ବନ୍ଧୁ ସୁରରେ ଖୁଣ ବାରିଲେ। କିନ୍ତୁ ତା’ ପରେ ଯାଆନ୍ତି କୁଆଡ଼େ? ‘ବାଃ... ବାଃ ’ ବୋଲି ନ ଶୁଣିବା ପର୍ଯ୍ୟନ୍ତ ରାଜା ଗୀତ ଗାଇ ଚାଲିଲେ। ରାଜ ସଂଗୀତଜ୍ଞଙ୍କ ବନ୍ଧୁଙ୍କ ଠାରୁ ‘ବାଃ...ବାଃ’ ପାଇବା ବେଳକୁ ସଂଧ୍ୟା ଗଡ଼ି ଯାଇଥିଲା ଏବଂ ସଂଗୀତଜ୍ଞଙ୍କ ବନ୍ଧୁ ବେସୁରା ଓ କର୍କଶ ଗୀତ ଶୁଣି ଶୁଣି ମୃତପ୍ରାୟ ହୋଇ ଯାଇଥିଲେ।
ଫେରିବା ବାଟରେ ରାଜ ସଂଗୀତଜ୍ଞ ବୁଝାଇ ଦେଇ କହିଲେ- ଭାଇ, ଆମେ ରାଜାଙ୍କ ଗୀତ ଶୁଣି ମିଛରେ ‘ବାଃ....ବାଃ’ କରୁନା। ଏବେ ତୁମେ ତା’ର କାରଣ ଜାଣିଲ ତ?