ସମ୍ରାଟଙ୍କ ଦରବାରରେ ପହଞ୍ଚିଲେ ଜଣେ ଯୁବକ। ସେ ଲାଗୁଥିଲେ ବିଚକ୍ଷଣ। ରାଜା ତାଙ୍କୁ ପଚାରିଲେ- ଯୁବକ, ତୁମ ନାମ କ’ଣ?
ଯୁବକ କହିଲେ- ମୋର ଅସ˚ଖ୍ୟ ପରିଚୟ। କାହା କାହାର ପରିଚୟ ଦେବି?
ରାଜା ଏହାର ଅର୍ଥ ବୁଝିପାରିଲେ ନାହିଁ।
ଯୁବକ ପଚାରିଲେ- ମହାରାଜ, ଆପଣ କେବେ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିଛନ୍ତି?
ରାଜା କହିଲେ- କେବେ ହେଲେ କରିନାହିଁ।
ଯୁବକ କହିଲେ- କାଲି ଆପଣ ପାହାନ୍ତାରୁ ଉଠି ବଗିଚାକୁ ଆସନ୍ତୁ। ସେଠାରେ ମୁଁ ଆପଣଙ୍କୁ ମୋର ଅନେକ ପରିଚୟର ଗୂଢ଼ କଥା କହିବି।
ସୁତରାଂ, ରାଜା ତାଗିଦ କରି ଶୋଇବାକୁ ଗଲେ ଯେ ଯେମିତି ହେଲେ ତାଙ୍କୁ ସୂର୍ଯ୍ୟ ଉଦୟ ପୂର୍ବରୁ ଡାକି ଦିଆଯିବ।
ପ୍ରବଳ ଶୀତ ରାତି। ସୂର୍ଯ୍ୟୋଦୟ ପୂର୍ବରୁ ରାଜାଙ୍କୁ ଡକାଗଲା। ରାଜା ରେଜେଇକୁ ଆହୁରି ଟାଣି ନେଇ ଶୋଇଲେ। ଅଧିକ ଡାକିବାରୁ ରାଜା ରାଗି ଯାଇ ଯିଏ ହଇରାଣ କରୁଛି ତାକୁ ହାଣିଦେବେ ବୋଲି ଧମକ ବି ଦେଲେ। ତା’ ପରେ ନିତି ଦିନିଆ ସମୟରେ ଉଠି ପୂର୍ବଦିନର କଥା ମନେ ପକାଇ ଅନୁତପ୍ତ ହେଲେ।
ଯୁବକ କହିଲେ- ଦେଖନ୍ତୁ ମହାରାଜ, ଏଇତକ ସମୟ ଭିତରେ ଆପଣ ତିନି ଜଣ ମଣିଷ। କାରଣ ଯେ କହିଲେ, ସକାଳୁ ଡାକିଦେବ, ସକାଳୁ ଡକାଗଲା ବେଳକୁ ଯେ କହିଲେ ଯେ ହାଣିଦେବେ ଏବ˚ ସକାଳେ ଉଠିଲା ପରେ ଯେ ପଶ୍ଚାତ୍ତାପ କଲା; ସମସ୍ତେ ସମାନ ମଣିଷ ନୁହନ୍ତି। ଏମାନେ ସମସ୍ତେ ଆପଣଙ୍କ ଭିତରେ ଥିବା ଭିନ୍ନ ଭିନ୍ନ ତିନି ଜଣ ମଣିଷ। ଏବେ କହନ୍ତୁ ଆପଣ କାହାର କାହାର ପରିଚୟ ଦେବେ?
କେତେ ପରିଚୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)