ମୁଲ୍ଲା ନସିରୁଦ୍ଦିନଙ୍କୁ ରାଜା ବିଚାରକ ଭାବେ ନିଯୁକ୍ତି ଦେଲେ। ମୁଲ୍ଲା କେମିତି ବିଚାର କରୁଛନ୍ତି ତାହା ଦେଖିବା ଲାଗି ରାଜା ପ୍ରଥମ ଦିନ ବିଚାରାଳୟରେ ଉପସ୍ଥିତ ରହିଲେ। ମୁଲ୍ଲା ଥିଲେ ବୁଦ୍ଧିମାନ। ତେଣୁ ରାଜା ଭାବିଲେ ମୁଲ୍ଲା ଭଲ ବିଚାରପତି ହୋଇପାରିବେ।
ବିଚାର ଆରମ୍ଭ ହେଲା। ଗୋଟିଏ ପକ୍ଷ ତା’ କଥା କହିଲା। ତା’ କଥା ସରିବା ପରେ ମୁଲ୍ଲା ତୁରନ୍ତ ଅପର ପକ୍ଷ ଦୋଷୀ ବୋଲି କହି ରାୟ ଶୁଣାଇ ଦେଲେ।
ଏହା ଦେଖି ରାଜା କହିଲେ- ହାଁ ହାଁ ମୁଲ୍ଲା ଟିକିଏ ରହ। ଗୋଟିଏ ପକ୍ଷକୁ ଶୁଣି ରାୟ କେମିତି ଶୁଣାଇ ଦେଲ। ଆର ପକ୍ଷକୁ ଶୁଣିବ ନାହିଁ କି?
ମୁଲ୍ଲା କହିଲେ- ୟାଙ୍କ କଥା ଶୁଣିଲି। ଠିକ୍ ଲାଗିଲା। ତେଣୁ ରାୟ ଦେଲି। ଆପଣ କହୁଛନ୍ତି ଯଦି ଆର ପକ୍ଷ ଶୁଣିବି, କିନ୍ତୁ ଦୁଇ ପକ୍ଷ ଶୁଣିଲେ ମହା ଝାମେଲା।
ରାଜା କହିଲେ- କିନ୍ତୁ ଶୁଣିବାକୁ ତ ପଡ଼ିବ।
ମୁଲ୍ଲା ଅପର ପକ୍ଷର କଥା ବି ଶୁଣିଲେ। ତା ପରେ ରାୟ ଦେଲେ ଯେ ସେ ମାମଲାରେ ଉଭୟ ପକ୍ଷ ଠିକ୍। କେହି ଦୋଷୀ ନୁହନ୍ତି। ଏହା ଶୁଣି ରାଜା ପୁଣି ମୁଣ୍ତରେ ହାତ ଦେଲେ। ସେ କହିଲେ- ମୁଲ୍ଲା ତୁମେ ପରା ବିଚାରକ। ବିଚାର କରି ଜଣକୁ ସିନା ଦୋଷୀ ସାବ୍ୟସ୍ତ କରିବ। ଉଭୟ ପକ୍ଷ ଠିକ୍ ବୋଲି କହିଲେ କେମିତି ହେବ?
ମୁଲ୍ଲା ବିଚାରପତିଙ୍କ ଚଉକିରୁ ଉଠିପଡ଼ିଲେ ଓ କହିଲେ- ଜାହାଁପନା ଏବେ ଆପଣଙ୍କ କଥା ଶୁଣି ଲାଗିଲାଣି ଆପଣ ଯାହା କହୁଛନ୍ତି ତାହା ବି ଠିକ୍।
ତା’ ପରେ ସେ ସେଠାରୁ ଝଡ଼ ଭଳି ବାହାରି ଯିବା ବେଳେ କହିଲେ- ହଜୁର, ଯାହାକୁ ଶୁଣିଲେ ଲାଗୁଛି ସେ ଠିକ୍ କହୁଛି। ତା’ର କିଛି ଦୋଷ ନାହିଁ। ଏଭଳି ଅବସ୍ଥାରେ ମୁଁ ବିଚାର କରିପାରିବି ନାହିଁ।
ସମସ୍ତେ ଠିକ୍
କଥାଟିଏ-ଯାଯାବର