ପାସ୍‌ ଓ ଫେଲ୍‌

କଥାଟିଏ-ଯାଯାବର

ଜଣେ ମେଧାବୀ ଛାତ୍ର ଥିଲା। ସବୁ ପରୀକ୍ଷାରେ ସେ ଭଲ ନମ୍ବର ରଖୁଥିଲା। ସେଥିଲାଗି ତାକୁ ସମସ୍ତେ ଭଲ ପାଉଥିଲେ। ପିଲାଟି ବଡ଼ ହୋଇ ଏକ ନିର୍ଦ୍ଦିଷ୍ଟ ବିଷୟ ପଢ଼ିବ ବୋଲି ସ୍ଥିର କଲା। କିନ୍ତୁ କଥା ହେଲା, ସେ ବିଷୟରେ ଉଚ୍ଚ ଶିକ୍ଷା ପାଇବା ଲାଗି ଆଗ୍ରହୀ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ଥିଲା ବହୁତ ଅଧିକ। ସୁତରା˚ ପ୍ରବେଶିକା ପରୀକ୍ଷା ଥିଲା ଅତି କଠିନ।
ପିଲାଟି ପରିଶ୍ରମୀ ଥିଲା। ତେଣୁ ସେ ଅକ୍ଳାନ୍ତ ପରିଶ୍ରମ କଲା। ପରୀକ୍ଷା ହେଲା। ପରୀକ୍ଷା ସରିବାର ଅଧ ଘଣ୍ଟାକ ଭିତରେ ପିଲାମାନଙ୍କୁ ଫଳ ଦେଇ ଦିଆଯାଉଥିଲା। ପିଲାଟି ମାତ୍ର ଦୁଇ ନମ୍ବର ଲାଗି ଅକୃତକାର୍ଯ୍ୟ ହେଲା। ସେ ଭାଙ୍ଗି ପଡ଼ିଲା। ପରୀକ୍ଷା କେନ୍ଦ୍ରରୁ ମୁହଁ ଶୁଖାଇ ସେ ଘରକୁ ଫେରିଲା।
ଘରେ ମା’ ପଚାରିଲେ- ପରୀକ୍ଷାରେ କେମିତି ହେଲା?
ପୁଅ କହିଲା- ଫେଲ ହୋଇଗଲି।
ମା’ କହିଲେ- ଚିନ୍ତା ନାହିଁ। ପରିଶ୍ରମ କରିଥିଲୁ। ଆହୁରି ମନ ଲଗାଇ ପଢ଼, ଆର ବର୍ଷକୁ ନିଶ୍ଚୟ ସଫଳ ହେବୁ।
ପିଲାଟି କହିଲା- ମାତ୍ର ଦୁଇ ନମ୍ବର ପାଇଁ କଟିଗଲି। ଗୋଟିଏ ପ୍ରଶ୍ନର ଉତ୍ତର ଠିକ୍‌ ହୋଇଯାଇଥିଲେ ମୁଁ ପାସ୍‌ କରି ଯାଇଥାନ୍ତି। ପରୀକ୍ଷାରେ ମୋତେ ଆସୁ ନଥିବା ଗୋଟିଏ ପ୍ରଶ୍ନର ଉତ୍ତର ମୋ ପାଖ ପିଲାଟି ମୋତେ କହିଦେବ ବୋଲି ଇଙ୍ଗିତ କରୁଥିଲା। କିନ୍ତୁ ତାହା କରିବା ଅର୍ଥ ଠକିବା। ତେଣୁ ମୁଁ ତାକୁ ନଜରଅନ୍ଦାଜ କରିଦେଲି। ନ ହେଲେ ମୁଁ ପାସ୍‌ କରି ଯାଇଥାଆନ୍ତି।
ମା’ ତା’ର ମୁଣ୍ତ ଉପରେ ହାତ ବୁଲାଇ କହିଲେ- ତୁ ସିନା ଫେଲ୍‌ ହୋଇଗଲୁ ବୋଲି ଦୁଃଖିତ, ମୁଁ କିନ୍ତୁ ଖୁସି ଯେ ତୁ ପାସ୍‌ କରିଯାଇଛୁ। ତୁ ଯଦି ଠକାମି କରି ପାସ୍‌ କରିଥାଆନ୍ତୁ, ତେବେ ମୋ ଆଖିରେ ତୁ ଫେଲ୍‌ ହୋଇଯାଆନ୍ତୁ। ମୁଁ ଜ‌ାଣେ ଆର ବର୍ଷ ତୁ କେବଳ ପାସ୍ ହିଁ କରିବୁ।

ସମ୍ବନ୍ଧିତ ଖବର