ଜଗିବା ଲୋଡ଼ା ନାହିଁ

କଥାଟିଏ-ଯାଯାବର

ଜଣେ ସାଧୁ କିଛି ଶିଷ୍ୟଙ୍କୁ ନେଇ ଆଶ୍ରମରେ ରହୁଥିଲେ। ସାଧୁ ଥିଲେ ଭାରି କଠୋର। ଆଶ୍ରମରେ ଶୃଙ୍ଖଳା ରକ୍ଷା ଲାଗି ସେ ଅନେକ ନିୟମ କରିଥିଲେ। ସେ ସବୁକୁ ଭାରି କଡ଼ା ଭାବେ ପାଳନ କରାଯାଉଥିଲା।
ଥରେ କିଛି ଦିନ ସକାଶେ ସାଧୁ ବାହାରକୁ ଗଲେ। କିନ୍ତୁ ତାଙ୍କ ଯିବା ମାତ୍ରକେ ଆଶ୍ରମର ପରିବେଶ ବଦଳି ଗଲା। ଶିଷ୍ୟମାନେ ଏତେ ଦିନକେ ପାଇଥିବା ସ୍ବାଧୀନତାକୁ ମନ ଭରି ଉପଭୋଗ କଲେ ଏବଂ ଶୃଙ୍ଖଳା ଚୁଲିକୁ ଗଲା। ସାଧୁ ଆଶ୍ରମକୁ ହଠାତ୍ ଫେରି ଆସି ଯାହା ଦେଖିଲେ, ସେଥିରେ ରାଗି ପଞ୍ଚମ ହୋଇଗଲେ। ଆଶ୍ରମର ଅଧାରୁ ଅଧିକ ଶିଷ୍ୟ ବିଦା ହୋଇ ଘରକୁ ଗଲେ।
ସାଧୁଙ୍କ ଆଶ୍ରମର କିଛି ଦୂରରେ ଆଉ ଜଣେ ସାଧୁଙ୍କ ଆଶ୍ରମ ଥିଲା। ସେହି ସାଧୁ ଅନେକ ସମୟରେ ଆଶ୍ରମ ଛାଡ଼ି ବାହାରକୁ ଯାଉଥିଲେ। ସେଠାରେ ଆଦୌ କଡ଼ା ନିୟମ ନ ଥିଲା। କିନ୍ତୁ ସମସ୍ତେ ସେଠି ଶୃଙ୍ଖଳିତ ଥିଲେ। ସାଧୁଙ୍କ ଅନୁପସ୍ଥିତିରେ ବି ସମାନ ଶୃଙ୍ଖଳା ରହୁଥିଲା।
ଦିନେ ପ୍ରଥମ ସାଧୁ ଦ୍ବିତୀୟ ସାଧୁଙ୍କୁ ପଚାରିଲେ- ଶୃଙ୍ଖଳା ରକ୍ଷା ଲାଗି ଆପଣଙ୍କ ଆଶ୍ରମରେ କିଛି ନିୟମ ନ ଥିଲେ ସୁଦ୍ଧା ସମସ୍ତେ ଶୃଙ୍ଖଳିତ କେମିତି?
ଦ୍ବିତୀୟ ସାଧୁ କହିଲେ- କଥାଟା ଏମିତି। ଆପଣ ବାହାରୁ ଜଗୁଆଳି ଭଳି ଜଗି ଶିଷ୍ୟମାନଙ୍କୁ ଶୃଙ୍ଖଳିତ କରୁଛନ୍ତି। ତେଣୁ ଆପଣଙ୍କ ଆଗରେ ସେମାନେ ଶୃଙ୍ଖଳା ରକ୍ଷା କରନ୍ତି ସିନା ଆପଣ ନ ଥିଲେ ବିଶୃଙ୍ଖଳିତ ହୋଇ ଉଠନ୍ତି। କିନ୍ତୁ ଆମ ଆଶ୍ରମର ଶିଷ୍ୟମାନଙ୍କ ଭିତରେ ଥିବା ଜଗୁଆଳିକୁ ମୁଁ ଉଠାଇ ଦେଇଛି। ଶୃଙ୍ଖଳା ବୋଧ ସେମାନଙ୍କ ଭିତରେ ଫୁଲ ଭଳି ଫୁଟିଛି। ତେଣୁ ସେମାନଙ୍କୁ କେହି ଜଗିବା ଦରକାର ପଡୁନାହିଁ।

ସମ୍ବନ୍ଧିତ ଖବର