ଯୁଦ୍ଧ ସଂଦର୍ଭରେ ବହୁଳ ଭାବେ ଉଦ୍ଧୃତ ଏହି ଅଭିବ୍ୟକ୍ତିଟି ପ୍ରକୃତରେ ଯୁଦ୍ଧକୁ ନେଇ ହେମିଂୱେଙ୍କ ଏକ ମାର୍ମିକ ବ୍ୟଙ୍ଗୋକ୍ତି। କହିବା ଅନାବଶ୍ୟକ ଯେ ଏହା ହିଁ ଯୁଦ୍ଧର ମୂଳ ଚରିତ୍ରକୁ ପରିଭାଷିତ କରିଥାଏ; ଅର୍ଥାତ୍ ଯୁଦ୍ଧ ହେଉଛି ମଣିଷ ଶିକାର ଏବଂ ଥରେ ସେଥିରେ ସଂଶ୍ଳିଷ୍ଟ ହୋଇଗଲେ ତାହା ଏକ ଅପ୍ରତିରୋଧ୍ୟ ନିଶାରେ ମଧ୍ୟ ପରିଣତ ହୋଇଯାଏ। ଇସ୍ରାଏଲ ସେହି ନିଶାରେ ଏବେ ଉନ୍ମତ୍ତ। ଦୁଇ ବର୍ଷ ହେଲାଣି ରୁଷିଆ ଯୁଦ୍ଧ ନିଶାଗ୍ରସ୍ତ ହୋଇ ରହିଛି। ଇରାନ ଏବଂ ପାକିସ୍ତାନ ମଧ୍ୟ ଦୀର୍ଘ କାଳ ହେଲାଣି ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ପ୍ରକ୍ସି ଯୁଦ୍ଧ ଏବଂ ଆତଙ୍କବାଦର ପ୍ରୋତ୍ସାହନ ମାଧ୍ୟମରେ ହେମିଂୱେଙ୍କ ଗଳ୍ପରେ କୁହାଯାଇଥିବା ଭଳି ‘ମଣିଷ ଶିକାର’ କରି ଚାଲିଛନ୍ତି। ତେଣୁ ସେମାନେ ମଧ୍ୟ ଏଭଳି ଏକ ନିଶାରୁ ମୁକ୍ତ ହେବା ଏକ ଦୁଃସାଧ୍ୟ ବ୍ୟାପାର। ସୁତରାଂ, ଏଭଳି ଯୁଦ୍ଧ!
ଗଲା ୧୬ ତାରିଖରେ ଇରାନ ପକ୍ଷରୁ ଇରାକ, ସିରିଆ ଏବଂ ପାକିସ୍ତାନ ଉପରେ ଆକାଶମାର୍ଗୀ ଆକ୍ରମଣ ଓ ଏହାର ଉତ୍ତର ସ୍ବରୂପ ଗତ କାଲି ପାକିସ୍ତାନ ପକ୍ଷରୁ ହୋଇଥିବା ପ୍ରତି-ଆକ୍ରମଣ ପରେ ପଶ୍ଚିମ-ଏସୀୟ ଭୂଖଣ୍ଡ ଏବଂ ମଧ୍ୟ-ପ୍ରାଚ୍ୟ ଅଞ୍ଚଳ ସହିତ ଦକ୍ଷିଣ ଏସିଆର ଏକ ଅଂଶ େଯ ଅତ୍ୟନ୍ତ ଦହନୀୟ ସ୍ଥିତିକୁ ଚାଲିଆସିଛି, ତାହା କହିବା ବାହୁଲ୍ୟ ମାତ୍ର। ଏହି ସଂଦର୍ଭରେ ଅନେକ ବିଶେଷଜ୍ଞ ଆଶଙ୍କା ପ୍ରକଟ କଲେଣି ଯେ ଇସ୍ରାଏଲ୍-ହମାସ ସଂଘର୍ଷରୁ ସୃଷ୍ଟ ଏହି ଯୁଦ୍ଧ କ୍ରମେ ଏଭଳି ରୂପ ନେବାକୁ ବସିଲାଣି ଯେ ଖୁବ୍ ସମ୍ଭବ ତାହା ଆହୁରି ସଂପ୍ରସାରିତ ହୋଇ ଏହାର ପରିସର ମଧ୍ୟକୁ ପୃଥିବୀର ଅନେକ ରାଷ୍ଟ୍ରଙ୍କୁ ଟାଣି ଆଣିବ ଏବଂ ଏହାର ଭୀଷଣତା ସମ୍ମୁଖରେ ଦୁଇ ବର୍ଷ ଧରି ଲାଗି ରହିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧ ହୁଏତ ଏକ ଛାଗଳ ଯୁଦ୍ଧ ତୁଲ୍ୟ ଦିଶିପାରେ! କେବଳ ସେତିକି ନୁହେଁ, ଏହା ମଧ୍ୟ ସମ୍ଭବ ଯେ ଏଥିରେ କେତେକ ରାଷ୍ଟ୍ର ନିରର୍ଥକ ଓ ଉଦ୍ଦେଶ୍ୟହୀନ ଯୁଦ୍ଧରେ ମଧ୍ୟ ବ୍ୟାପୃତ ରହିବେ, ସତେ ଯେମିତି ରକ୍ତପାତ କରିବାର ଜାନ୍ତବ ନିଶାରୁ ମୁକ୍ତି ପାଇବା ଅସମ୍ଭବ!
ପ୍ରକାଶ ଥାଉ କି ଗଲା ୩ ତାରିଖରେ ଇରାନର କରମାନ ସହରରେ ହୋଇଥିବା ଅତ୍ୟନ୍ତ ପ୍ରାଣଘାତୀ ଆତଙ୍କବାଦୀ ବୋମା ବିସ୍ଫୋରଣର ପ୍ରତିଶୋଧ ସ୍ବରୂପ ଇରାନ ପକ୍ଷରୁ ଇରାକ, ସିରିଆ ଏବଂ ପାକିସ୍ତାନ ଉପରେ ଆକ୍ରମଣ କରାଯାଇଛି। ଯଦିଓ, ଏହି ଅନ୍ତର୍ଘାତୀ ବୋମା ବିସ୍ଫୋରଣ ସକାଶେ ଇସଲାମୀୟ ଆତଙ୍କବାଦୀ ସଂଗଠନ ‘ଆଇସିସ୍’ ପକ୍ଷରୁ ଆପଣା ସଂପୃକ୍ତି ନେଇ ଦାବି କରାଯାଇଛି, ଇରାନ ଏହି ସନ୍ଦେହରୁ ମୁକ୍ତ ହୋଇପାରିନାହିଁ ଯେ ଏହା ପଛରେ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ‘ମୋସାଦ’ର ଭୂମିକା ମଧ୍ୟ ନିହିତ। ସୁତରାଂ, ଇରାନ ପକ୍ଷରୁ ଜାରି ସୂଚନା ଅନୁସାରେ ଇରାକ ଓ ସିରିଆରେ ଆସ୍ଥାନ ଜମାଇଥିବା ‘ମୋସାଦ’ର ଠିକଣା ଉପରେ ଆକ୍ରମଣ କରାଯାଇଛି। ସେହିଭଳି ପାକିସ୍ତାନର ବେଲୋଚିସ୍ତାନ ଅଞ୍ଚଳରେ ଆଶ୍ରୟ ପାଇ ପରିପୁଷ୍ଟ ହେଉଥିବା ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦଲର ଆଡ୍ଡା ମଧ୍ୟ ଇରାନ ଆକ୍ରୋଶର ଶରବ୍ୟ ହୋଇଛି; କାରଣ ସେହି ସଂଗଠନ ‘ଆଇସିସ୍’ର ଏକ ଦୁର୍ବାର ଅନୁଗାମୀ ଭାବେ ପରିଚିତ। ତେବେ, ଏ ସଂଦର୍ଭରେ ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ଇରାନର ଏଭଳି କାର୍ଯ୍ୟାନୁଷ୍ଠାନ ପଛରେ ଏକ ଆଭ୍ୟନ୍ତରୀଣ ରାଜନୈତିକ ଉଦ୍ଦେଶ୍ୟ ଥିବା ମଧ୍ୟ ସମ୍ଭବ। ସେମାନଙ୍କ ମତରେ ଇରାନ ଦ୍ବାରା ପରିପୁଷ୍ଟ ଲୋବାନନର ହେଜବୋଲ୍ଲା ବା ୟେମେନର ହୁଥି ଅଥବା ଇରାକର ସିହା ମିଲିସିଆ ଭଳି ଅତ୍ୟନ୍ତ ସୁସଂଗଠିତ ଓ ଶସ୍ତ୍ର ସୁସଜ୍ଜିତ ବାହିନୀ ବିଭିନ୍ନ ସ୍ଥାନରେ ଇରାନ ପକ୍ଷରୁ ‘ପ୍ରକ୍ସି’ ଭାବେ ଅବତୀର୍ଣ୍ଣ ହୋଇ ଯୁଦ୍ଧ ବ୍ୟାପୃତ, ଯାହା ପଶ୍ଚିମ-ଏସୀୟ ଅଞ୍ଚଳରେ ଇରାନକୁ ଏକ ରଣନୈତିକ ପ୍ରାଧାନ୍ୟ ଦେଇଛି। କିନ୍ତୁ, ଆଉ ଏକ ବାସ୍ତବତା ହେଲା, ଇରାନର ନାଗରିକମାନଙ୍କ ଚକ୍ଷୁରେ ଏଭଳି ‘ପ୍ରକ୍ସି’ ଯୁଦ୍ଧର ଆୟୋଜନ ମାଧ୍ୟମରେ ଇରାନର ଶକ୍ତି ପ୍ରଦର୍ଶନ ଯଥେଷ୍ଟ ନୁହେଁ, ଏବଂ କରମାନ ସହରରେ ହୋଇଥିବା ଅନ୍ତର୍ଘାତୀ ବୋମା ବିସ୍ଫୋରଣର ପ୍ରତିଶୋଧ ସଂଦର୍ଭରେ ଇରାନ ପକ୍ଷରୁ ଏକ ପ୍ରତ୍ୟକ୍ଷ ଆକ୍ରମଣ ହିଁ ଏକମାତ୍ର ଆବଶ୍ୟକତା। ଏହି ପର୍ଯ୍ୟବେକ୍ଷକଙ୍କ ମତାନୁସାରେ ଚଳିତ ବର୍ଷ ଇରାନରେ ହେବାକୁ ଯାଉଥିବା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ଜନ ସମର୍ଥନ ଲାଭ ସକାଶେ ଶାସକ ଦଳ ପାଇଁ ପ୍ରତ୍ୟକ୍ଷ ଆକ୍ରମଣର ‘ଆବଶ୍ୟକତା’ ଅଗତ୍ୟା ଏକ ‘ଅନିବାର୍ଯ୍ୟତା’ରେ ପରିଣତ ହୋଇଛି, ଯାହା ଅହେତୁକ ଭାବେ ରକ୍ତପାତ ଓ ହିଂସାକୁ ନୂଆ ତୀବ୍ରତା ପ୍ରଦାନ କରିବ!
ଏହି ସଂଦର୍ଭରେ ପାକିସ୍ତାନର ପ୍ରତି-ଆକ୍ରମଣକୁ ମଧ୍ୟ ଏକ ବାଧ୍ୟବାଧକତା ରୂପେ ଦେଖାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ଇରାନ ଦ୍ବାରା ସଦ୍ୟ ସଂଘଟିତ ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ପୂର୍ବରୁ ପାକିସ୍ତାନ ଦୁଇଟି ‘ସର୍ଜିକାଲ ଷ୍ଟ୍ରାଇକ୍’ ପ୍ରତ୍ୟକ୍ଷ କରିଛି, ଯେଉଁଥିରେ ଯୁକ୍ତରାଷ୍ଟ୍ର ଆମେରିକା (ଓସାମା ବିନ୍ ଲାଦେନର ହତ୍ୟା ସକାଶେ) ଏବଂ ଭାରତ (ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ) ସଂପୃକ୍ତ ଥିଲେ ଏବଂ ଏ ଦୁଇଟି ଘଟଣା ପାକିସ୍ତାନର ସାର୍ବଭୌମତ୍ବର ଉଲ୍ଲଂଘନ ଥିେଲ ସୁଦ୍ଧା ପାକିସ୍ତାନର ନିରବତା ସେ ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସୁତରାଂ, ପାକିସ୍ତାନ ସକାଶେ ତୃତୀୟ ବାରର ‘ସର୍ଜିକାଲ ଷ୍ଟ୍ରାଇକ୍’ ଅସହନୀୟ ହୋଇ ପଡ଼ିଥିବା ସ୍ବାଭାବିକ। କିନ୍ତୁ, ପ୍ରଶ୍ନ ହେଲା ପୂର୍ବରୁ ପାକିସ୍ତାନ ଏଭଳି ‘ସର୍ଜିକାଲ ଷ୍ଟ୍ରାଇକ୍’ ପରିପ୍ରେକ୍ଷୀରେ ନିରବ ରହିଥିବା ବେଳେ ସଂପ୍ରତି ଏକ ଅତ୍ୟନ୍ତ ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ସତ୍ତ୍ବେ ଏହା ପ୍ରତି-ଆକ୍ରମଣ କରିବାରେ ବିଳମ୍ବ କରିନାହିଁ କାହିଁକି? ଉତ୍ତର ହେଲା ପାକିସ୍ତାନ ମଧ୍ୟ ଇରାନ ଭଳି ଏକ ରାଜନୈତିକ ବାଧ୍ୟବାଧକତାର ବଶବର୍ତ୍ତୀ ହୋଇଛି, କାରଣ ଚଳିତ ବର୍ଷ ହେବାକୁ ଯାଉଥିବା ନିର୍ବାଚନ ପରିପ୍ରେକ୍ଷୀରେ ପୂର୍ବ ଥରଗୁଡ଼ିକ ଭଳି ନିରବତା ଅବଲମ୍ବନ କରିବା ନିଶ୍ଚିତ ପକ୍ଷେ ଶାସକ ଦଳ ସକାଶେ ଆତ୍ମଘାତୀ ହୁଅନ୍ତା।
ଏହି ପରିପ୍ରେକ୍ଷୀରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଇରାନ ଏବଂ ପାକିସ୍ତାନ ମଧ୍ୟରେ ପୂର୍ବରୁ ବିଭିନ୍ନ କାରଣରୁ ବିବାଦ ଲାଗି ରହିଥିଲେ ହେଁ ଏହା ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ଦୁର୍ଯୋଗ ସୃଷ୍ଟି କରି ନ ଥିଲା। ଏହା ମଧ୍ୟ ସତ ଯେ ଇସ୍ରାଏଲ-ହମାସ ଯୁଦ୍ଧ ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ର ପାଲେଷ୍ଟାଇନର ସମର୍ଥକ ଏବଂ ଇସ୍ରାଏଲ୍ ବିରୋଧୀ ହୋଇଥିବା ଦୃଷ୍ଟିରୁ ସହସା ସେମାନେ ଏଭଳି ଯୁଦ୍ଧରତ ହୋଇ ପଡ଼ିବା ପଶ୍ଚିମ-ଏସୀୟ ଅଞ୍ଚଳକୁ ଅଧିକ ଦଗ୍ଧୀଭୂତ କରିବ ସିନା, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସଂଦର୍ଭରେ ପକ୍ଷ-ବିପକ୍ଷ ପ୍ରଶ୍ନକୁ ଅଗତ୍ୟା ଅପ୍ରାସଙ୍ଗିକ କରି ପକାଇବ। ଏହା ଦ୍ବାରା ନୂଆ ନୂଆ ଶୋଣିତ ଜର୍ଜର ଯୁଦ୍ଧ କ୍ଷେତ୍ରର ଆବିର୍ଭାବ ଘଟିବ ସିନା, ଏହା କେବଳ ଉଦ୍ଦେଶ୍ୟହୀନ ଯୁଦ୍ଧର ପରାକାଷ୍ଠା ପ୍ରତିପାଦନ କରିବା ସହିତ ମାନବ ଜାତିକୁ ଅଧିକ ସନ୍ତପ୍ତ କରିବ ଯାହା!
ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କଲା ବେଳେ ପ୍ରଖ୍ୟାତ ଆମେରିକୀୟ ଲେଖକ ଅର୍ନେଷ୍ଟ ହେମିଂୱେଙ୍କ ପ୍ରସିଦ୍ଧ ଗଳ୍ପ ‘ଅନ ଦ ବ୍ଲୁ ୱାଟର’ ସ୍ମରଣକୁ ଆସିଥାଏ, ଯହିଁରେ ବର୍ଣ୍ଣିତ ହୋଇଛି ‘ଗଲ୍ଫ ଷ୍ଟ୍ରିମ୍’ରେ ମାଛ ଧରିବାକୁ ଯାଇଥିବା ଦୁଇ ବନ୍ଧୁଙ୍କ ମଧ୍ୟରେ ଜନ୍ତୁ ଶିକାର ସମ୍ବନ୍ଧୀୟ ମର୍ମସ୍ପର୍ଶୀ କଥୋପକଥନ। ସେହି ଗଳ୍ପର ପ୍ରାରମ୍ଭ ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣକର ସଂଳାପରୁ ହୋଇଛି; ଏବଂ ତାହା ହେଲା ‘ମଣିଷ ଶିକାର ଠାରୁ ବଳି ଆଉ କୌଣସି ଶିକାର ନାହିଁ। ଜଣେ ଯଦି ସଶସ୍ତ୍ର ମଣିଷମାନଙ୍କୁ ଶିକାର କରିଛି ଏବଂ ଦୀର୍ଘ କାଳ ଧରି ସେଭଳି କରି ଆସିଛି, ତେବେ ସେ ଆଉ କିଛି ହେଲେ ଖାତିର କରିବ ନାହିଁ।’ ଯୁଦ୍ଧ ସଂଦର୍ଭରେ ବହୁଳ ଭାବେ ଉଦ୍ଧୃତ ଏହି ଅଭିବ୍ୟକ୍ତିଟି ପ୍ରକୃତରେ ଯୁଦ୍ଧକୁ ନେଇ ହେମିଂୱେଙ୍କ ଏକ ମାର୍ମିକ ବ୍ୟଙ୍ଗୋକ୍ତି। କହିବା ଅନାବଶ୍ୟକ ଯେ ଏହା ହିଁ ଯୁଦ୍ଧର ମୂଳ ଚରିତ୍ରକୁ ପରିଭାଷିତ କରିଥାଏ; ଅର୍ଥାତ୍ ଯୁଦ୍ଧ ହେଉଛି ମଣିଷ ଶିକାର ଏବଂ ଥରେ ସେଥିରେ ସଂଶ୍ଳିଷ୍ଟ ହୋଇଗଲେ ତାହା ଏକ ଅପ୍ରତିରୋଧ୍ୟ ନିଶାରେ ମଧ୍ୟ ପରିଣତ ହୋଇଯାଏ। ଇସ୍ରାଏଲ ସେହି ନିଶାରେ ଏବେ ଉନ୍ମତ୍ତ। ଦୁଇ ବର୍ଷ ହେଲାଣି ରୁଷିଆ ଯୁଦ୍ଧ ନିଶାଗ୍ରସ୍ତ ହୋଇ ରହିଛି। ଇରାନ ଏବଂ ପାକିସ୍ତାନ ମଧ୍ୟ ଦୀର୍ଘ କାଳ ହେଲାଣି ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ପ୍ରକ୍ସି ଯୁଦ୍ଧ ଏବଂ ଆତଙ୍କବାଦର ପ୍ରୋତ୍ସାହନ ମାଧ୍ୟମରେ ହେମିଂୱେଙ୍କ ଗଳ୍ପରେ କୁହାଯାଇଥିବା ଭଳି ‘ମଣିଷ ଶିକାର’ କରି ଚାଲିଛନ୍ତି। ତେଣୁ ସେମାନେ ମଧ୍ୟ ଏଭଳି ଏକ ନିଶାରୁ ମୁକ୍ତ ହେବା ଏକ ଦୁଃସାଧ୍ୟ ବ୍ୟାପାର। ସୁତରାଂ, ଏଭଳି ଯୁଦ୍ଧ!