ଗୋଟିଏ ଗାଁରେ ଜଣେ ଯୁବ ସାଧୁ ରହୁଥିଲେ। ଅତ୍ୟନ୍ତ ସୁଦର୍ଶନ ସାଧୁ ଜଣକ ଥିଲେ ଚରିତ୍ରବାନ ଓ ଅନାସକ୍ତ। ଗାଁର ଜଣେ ତରୁଣୀ ତାଙ୍କ ଦ୍ବାରା ମୋହଗ୍ରସ୍ତ ହୋଇ ତାଙ୍କୁ ବିବାହ କରିବାକୁ ଚାହିଁଲା। ସେ ନିଜ ମନ କଥା ସାଧୁଙ୍କୁ ଜଣାଇଲା। ସାଧୁ ଏହା ଶୁଣି କେବଳ ଏତିକି କହିଲେ: ଓହୋ ଏମିତି କଥା!
ଏହାକୁ ଯୁବତୀ ଜଣକ ପ୍ରତ୍ୟାଖ୍ୟାନ ବୋଲି ଜାଣି କ୍ରୋଧରେ ଜଳିଗଲା। ସେ ପ୍ରତିଶୋଧ ନେବାକୁ ସ୍ଥିର କଲା। ଦିନେ ସେ ଯାଇ ନିଜ ଘରେ କହିଲା ଯେ ନିରୋଳା ସ୍ଥାନର ସୁଯୋଗ ‌େଦଖି ସାଧୁ ଜଣକ ତା’ ସହିତ ଅସଦାଚରଣ କରିଛନ୍ତି।
ଏଥିରେ ଯୁବତୀର ପିତା ଓ ଭାଇମାନେ ଉତ୍‌କ୍ଷିପ୍ତ ହୋଇ ଗାଁ ଲୋକଙ୍କୁ ଏକତ୍ର କରି ସାଧୁଙ୍କ ନିକଟରେ ପହଞ୍ଚି ଏ ସଂପର୍କରେ ପଚାରିଲେ। ସାଧୁ ସବୁ ଶୁଣିବା ପରେ କହିଲେ- ଓହୋ, ଏମିତି କଥା?
ଏଭଳି ଉତ୍ତରରେ ସେମାନଙ୍କ ଧୈର୍ଯ୍ୟ ଚ୍ୟୁତି ଘଟିଲା। ସେମାନେ ସାଧୁଙ୍କ ମୁହଁରେ ଚୂନକାଳି ବୋଳି ଗାଁରେ ବୁଲାଇବା ପରେ ଉତ୍ତମ ମଧ୍ୟମ ଦେଇ ତଡ଼ିଦେଲେ।
ସାଧୁ ଗାଁରୁ ବାହାରି ଯାଇ ଦୂର ଏକ ସ୍ଥାନରେ ରହିଲେ।
କିଛି ଦିନ ପରେ ଯୁବତୀ ମନରେ ତା’ର କୃତକର୍ମ ଲାଗି ଅନୁତାପ ଜାତ ହେଲା। ସେ ସ୍ବୀକାର କଲା ଯେ ପ୍ରତିଶୋଧ ନେବା ଲାଗି ସେ ମିଛ କଥା କହିଛି। ଏଥିରେ ତା’ ବାପା ଓ ଭାଇମାନେ ଝିଅକୁ ତିରସ୍କାର କରି ସାଧୁଙ୍କ ପାଖକୁ ଦୌଡ଼ିଲେ। ସେମାନେ ତାଙ୍କ ପାଦ ତଳେ ପଡ଼ିଯାଇ କହିଲେ- ଆଜ୍ଞା କ୍ଷମା କରନ୍ତୁ। ଝିଅ ମିଛ କଥା କହିଥିଲା। ଆପଣଙ୍କ ଭଳି ସାଧୁଙ୍କୁ ସନ୍ଦେହ କରିଥିବାରୁ ଆମେ ଅକ୍ଷମଣୀୟ ଅପରାଧ କରିଛୁ।
ସାଧୁ ଏହା ଶୁଣି ନିର୍ଲିପ୍ତ ଭାବେ ପୁଣି କେବଳ ଏତିକି କହିଲେ- ଓହୋ, ଏମିତି କଥା!