ଜଣେ ଯୁବକ ସଦ୍‌ଗୁରୁଙ୍କୁ ଖୋଜିବାକୁ ବାହାରିଲା। ଗାଁ ବାହାରେ ଗୋଟିଏ ଗଛ ମୂଳରେ ଜଣେ ଫକିର ବସିଥିଲେ। ଯୁବକ ତାଙ୍କୁ ନିଜ ଅଭିପ୍ରାୟ ଜଣାଇ କେମିତି ସଦ୍‌ଗୁରୁଙ୍କୁ ଚିହ୍ନିବ ତାହା ଜାଣିବାକୁ ଚାହିଁଲା। ଫକିର ଅତି ସରଳ ଭାବେ ବତାଇ ଦେଲେ ଅମକ ଗଛ ତଳେ ସେ ସମକ ମୁଦ୍ରାରେ ବସିଥିବେ। ତୁମେ ପାଇଯିବ। ଯୁବକଟି ତାଙ୍କୁ ଧନ୍ୟବାଦ ଦେଇ ତୁରନ୍ତ ପ୍ରସ୍ଥାନ କଲା। ପନ୍ଦର ବର୍ଷ କାଳ ଗଳଦ୍‌ଘର୍ମ ହୋଇ ଖୋଜିବା ପରେ ମଧ୍ୟ ସେମିତି କାହାକୁ ପାଇପାରିଲା ନାହିଁ। ହତାଶ ହୋଇ ସେ ଯେତେବେଳେ ଗାଁକୁ ଫେରିଲା, ‌େସତେବେଳେ ସେ ଦେଖିଲା ଯେ ଗାଁ ମୁଣ୍ଡରେ ସେଭଳି ଏକ ଗଛ ମୂଳରେ ସେଭଳି ମୁଦ୍ରାରେ ଜଣେ କେହି ବସିଛନ୍ତି। ପାଖକୁ ଯାଇ ଦେଖେ ତ ସେଇ ଫକିର।

Advertisment

ସେ ତାଙ୍କ ପାଦ ତଳେ ପଡ଼ିଗଲା ଓ କହିଲା- ମହାତ୍ମା, ଆପଣ ଏଠି ବସିଛନ୍ତି, ଆଉ ପନ୍ଦର ବର୍ଷ କାଳ ମୁଁ ଆପଣଙ୍କୁ ଖୋଜି ଖୋଜି ସାରା ଦୁନିଆ ଘୂରି ସାରିଲିଣି! ଆପଣ ସିଧାସଳଖ ସେ ଦିନ କହିଦେଲେ ନାହିଁ କାହିଁକି ଯେ ଆପଣ ହିଁ ସେହି ସଦ୍‌ଗୁରୁ!

ଫକିର କହିଲେ- କେମିତି କହିଥାଆନ୍ତି? ତୁ ସେତେବେଳେ ତରବରରେ ଥିଲୁ। ସତ୍ୟ ଲାଗି ତୋର ମନ ନ ଥିଲା; ତୋ ମନ ଥିଲା ଖୋଜିବାରେ। ତେଣୁ ଖୋଜିବା ନ ସରିବା ଯାଏ ତୁ ପାଆନ୍ତୁ କେମିତି? ସେ ଦିନ ତୁ ଟିକିଏ ଅଟକି ଯାଇ ଅନାଇ ଦେଇଥିଲେ ମୋତେ ପାଇ ଯାଇଥାଆନ୍ତୁ। କିନ୍ତୁ ତାହା ‌ହେବାର ନ ଥିଲା। ତୁ ସେମାନଙ୍କ ଭିତରୁ ଜଣେ ଥିଲୁ ଯିଏ ଅନେକ ଘରର ବନ୍ଦ ଦରଜାରେ ଡାକି ଡାକି ଶେଷରେ ନିଜ ଘରେ ପହଞ୍ଚି ଥାଆନ୍ତି। ଖୋଜି ଖୋଜି କ୍ଳାନ୍ତ ହେବା ପରେ ଯେତେବେଳେ ତୋ ମନରୁ ଖୋଜିବାର ବାସନା ମରିଗଲା, ତୁ ପାଇଗଲୁ।