ଜଣେ ରାଜାଙ୍କୁ ତାଙ୍କ ରାଜ୍ୟକୁ ବୁଲି ଆସିଥିବା ଜଣେ ପରିବ୍ରାଜକ ପଚାରିଲେ- ମହାରାଜ, ମୁଁ ଦେଖିଲି ଆପଣ ଅତି ପ୍ରାତଃ କାଳରୁ ଉଠି ଭକ୍ତି ସହକାରେ ଅନେକ ସମୟ ଧରି ପ୍ରାର୍ଥନା କରୁଛନ୍ତି। ସେଥିରେ ଆପଣ ଈଶ୍ବରଙ୍କୁ କ’ଣ ମାଗନ୍ତି?
ରାଜା କହିଲେ- ମୁଁ ଆମ ଉଆସର ଦ୍ବାରପାଳଠାରୁ ଆରମ୍ଭ କରି ଆମ ରୋଷେୟା, ମାଳୀ, କଚୁଆନ, ଅସ୍ତାବଲର ତତ୍ତ୍ବାବଧାରକ ଦେଇ ମହାମନ୍ତ୍ରୀ, ଅମାତ୍ୟଙ୍କ ପର୍ଯ୍ୟନ୍ତ ଯେତେ ଲୋକଙ୍କୁ ଜାଣିଛି ସମସ୍ତଙ୍କ ନାମ ନେଇ ସେମାନଙ୍କ ଲାଗି ପ୍ରଭୁଙ୍କ ଆଶିଷ ମାଗେ। ରାଜ୍ୟର ସବୁ ପ୍ରଜାଙ୍କ ଲାଗି ଈଶ୍ବରଙ୍କ ଠାରୁ କଲ୍ୟାଣ ମାଗେ। ଏତିକିି ମୋ ପ୍ରାର୍ଥନାର ବିଷୟ।
ପରିବ୍ରାଜକ କହିଲେ- ଆପଣ ନିଜ ଲାଗି ବା ନିଜ ପରିବାର ଲାଗି କିଛି ମାଗନ୍ତି ନାହିଁ?
ରାଜା କହିଲେ- ଭଗବାନ ମୋତେ ବା ମୋ ପରିବାରକୁ ଯାହା ଦେଇଛନ୍ତି, ତା’ ଠାରୁ ଏ ଜୀବଦ୍ଦଶାରେ ଆଉ ଅଧିକ କିଛି ଆଶା କରିବା ଧୃଷ୍ଟତା ହେବ। ପୁଣି, ମୁଁ ବା ମୋ ପରିବାର ସର୍ବଦା ପର ନିର୍ଭରଶୀଳ। ଧରନ୍ତୁ ଦ୍ବାରପାଳ ଜଣକ ରାତି ଅନିଦ୍ରା ହୋଇ ନ ଜଗିଲା, ତାହା ହେଲେ ମୁଁ ବା ମୋ ପରିବାର ସୁରକ୍ଷିତ ରହି ପାରିବୁ କି? ମୁଁ ବା ମୋ ପରିବାର ବଞ୍ଚି ରହିଛି କେବଳ ଅନ୍ୟମାନଙ୍କ ଉପରେ ନିର୍ଭର କରି। ମୁଁ ଏଇ କଥା ଭଲ ଭାବେ ବୁଝେ। ମୁଁ ଜଣେ ଅତ୍ୟନ୍ତ ଦୁର୍ବଳ ବ୍ୟକ୍ତି। ମୁଁ ଗୋଟିଏ ଦିନ ପାଇଁ ହେଲେ ବି ଦ୍ବାରପାଳର କି ରୋଷେୟାର ଦାୟିତ୍ବ ତୁଲାଇ ପାରିବି କି? ଭଗବାନ ସେମାନଙ୍କୁ ଭଲରେ ରଖିଲେ ଯାଇ ମୁଁ ଏବ˚ ମୋ ପରିବାର ଭଲରେ ରହିବେ।
ପରିବ୍ରାଜକ କହିଲେ- ଆପଣ ଜଣେ ମହାନ ରାଜା। ଏବେ ମୁଁ ପ୍ରାର୍ଥନାର ରୂପରେଖ ବୁଝିଲି।