ଥରେ ରାମକୃଷ୍ଣ ପରମହଂସଙ୍କ ସହିତ ସାକ୍ଷାତ ହେଲା ଜଣେ ଜ୍ଞାନୀ ସନ୍ନ୍ୟାସୀଙ୍କର। ସେ ତାଙ୍କ ଶିଷ୍ୟଙ୍କ ଦଳବଳ ସହିତ ଗଙ୍ଗାରେ ସ୍ନାନ କଲେ ଏବଂ ରାମକୃଷ୍ଣଙ୍କୁ ଦେଖା କଲେ। ନିଜର ପରିଚୟ ଦେବା ବେଳେ ନିଜ ଜ୍ଞାନର ପରାକାଷ୍ଠା ସଂପର୍କରେ ପ୍ରକାଶ କରିବାକୁ ଭୁଲିଲେ ନାହିଁ। ତାଙ୍କ ପାଳି ଧରି ଶିଷ୍ୟମାନ ଯୋଡ଼ିଲେ- ଆମ ଗୁରୁ ଜଣେ ବ୍ରହ୍ମ ଜ୍ଞାନୀ। ଏହା ସନ୍ନ୍ୟାସୀଙ୍କୁ ବେଶ୍ ଆମୋଦିତ କଲା। ରାମକୃଷ୍ଣ ପରମହଂସ ସବୁ ଶୁଣି ସାରି କହିଲେ- ବାବା, ଶୁଣ। ଗୋଟିଏ ଡଉଲଡାଉଲ ବଳଦ ଥିଲା। ତାକୁ ତା’ ମାଲିକ ଏତେ ଭଲ ପାଉଥିଲା ଯେ ତାକୁ ବିଲରେ ଚାଷ କରିବାକୁ ପଠାଉ ନ ଥିଲା। ସେ ଖାଇପିଇ ଗୋଟିଏ ଖୁଣ୍ଟରେ ବନ୍ଧା ହୋଇ ଗଛ ଛାଇରେ ପାକୁଳି କରୁଥିଲା। ଅନ୍ୟ ବଳଦମାନେ ଫେରିଲେ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ଶୋଇବାକୁ ଯାଉଥିଲା। ଶୋଇଲା ବେଳେ ସେ ସ୍ବପ୍ନ ଦେଖୁଥିଲା ଯେ ସେ ଚାଷ କରୁଛି। ଏମିତି ସ୍ବପ୍ନ ଦେଖିଦେଖି ସେ ଭାବିଲା ଯେ ସେ ଚାଷ ବାବଦରେ ସବୁ ଜାଣିଯାଇଛି। ଦିନେ ସେ ଏ କଥାଟି ତା’ର ସାଙ୍ଗ ବଳଦକୁ କହିବାରୁ ସାଙ୍ଗଟି ହସି ଦେଇ କହିଲା- ଖୁଣ୍ଟ ଛାଡ଼ିଲେ ସିନା ଜ୍ଞାନ ମିଳିବ!
ଏ କଥା ଶୁଣି ଜ୍ଞାନୀ ସନ୍ନ୍ୟାସୀ ପଚାରିଲେ- ମୋତେ ଏ ଗପ ଶୁଣାଇବାର ଅର୍ଥ?
ରାମକୃଷ୍ଣ କହିଲେ- ବାବା, ତୁମେ ପରମ ଜ୍ଞାନୀ, ତାହା ମୁଁ ଜାଣେ। କିନ୍ତୁ ‘ମୁଁ’ ନାମକ ଖୁଣ୍ଟକୁ ନ ଛାଡ଼ିଲେ ବ୍ରହ୍ମ ଜ୍ଞାନ ମିଳିବ କେମିତି? ଯିଏ ଅସଲ ବ୍ରହ୍ମଜ୍ଞାନୀ ସେ ବ୍ରହ୍ମକୁ ଜାଣିଥାଏ। ଆଉ ଯିଏ ବ୍ରହ୍ମକୁ ଜାଣେ ତା’ ଲାଗି ‘ମୁଁ’ ରହେ ନାହିଁ।
ସନ୍ନ୍ୟାସୀ ବୁଝିଲେ ଯେ ତାଙ୍କ ଠାରେ ବ୍ରହ୍ମ ଜ୍ଞାନ ଉଦୟ ହୋଇ ନାହିଁ।
ସନ୍ନ୍ୟାସୀଙ୍କ ବ୍ରହ୍ମଜ୍ଞାନ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)