ଏକଦା କୌଣସି ଜଣେ ବ୍ୟକ୍ତିର ଆକ୍ରମଣରେ ରାଜ୍ୟର ଜଣେ ପ୍ରଭାବଶାଳୀ ଅମାତ୍ୟ ନିହତ ହେଲେ। ରାଜା ହତ୍ୟାକାରୀର ଠାବ ପାଇବା ଲାଗି ପୁରସ୍କାର ଘୋଷଣା କଲେ। କିନ୍ତୁ ହତ୍ୟାକାରୀର କୌଣସି ସନ୍ଧାନ ମିଳିଲା ନାହିଁ।
ଏ ନେଇ ଆଶା ମଉଳି ଯାଇଥିବା ବେଳେ ଜଣେ ଯୁବକ ରାଜାଙ୍କୁ ଭେଟି ସ୍ବୀକାର କଲା ଯେ ସେ ହେଉଛି ହତ୍ୟାକାରୀ।
ରାଜା ଥିଲେ ଧୈର୍ଯ୍ୟବାନ ଏବଂ ବିଚାରବନ୍ତ। ସେ ଏହା ଶୁଣି ହଠାତ୍ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ପଚାରିଲେ- ଏତେ ଦିନ ପରେ ତୁମେ କାହିଁକି ଆତ୍ମସମର୍ପଣ କରିବାକୁ ଆସିଲ? କାରଣ ହତ୍ୟାକାରୀ ଧରା ପଡ଼ିବା ନେଇ ଆଶା ନ ଥିଲା। ତୁମେ ଜାଣିଶୁଣି ବିପଦକୁ ବରଣ କଲ କାହିଁକି?
ଯୁବକ କହିଲା- ମଣିମା, ଅମାତ୍ୟ ଜଣକ ଅତ୍ୟନ୍ତ ଅତ୍ୟାଚାରୀ ଓ ଅମଣିଷ ଥିଲେ ସତ ଏବଂ ଅଗତ୍ୟା କ୍ରୋଧ ଜର୍ଜର ହୋଇ ମୁଁ ତାଙ୍କୁ ହତ୍ୟା କଲି ସତ, କିନ୍ତୁ ମୋ ମନ ଆନ୍ଦୋଳିତ ହୋଇ ଚାଲିଲା। ମୋତେ ଲାଗିଲା ଯାହା ହେଲେ ବି ମୁଁ ନର ହତ୍ୟା କରିଥିବାରୁ ଅପରାଧୀ ଏବଂ ଦଣ୍ଡର ଯୋଗ୍ୟ। ଦଣ୍ଡକୁ ଏଡ଼ାଇ ରହିବା ଆଉ ସମ୍ଭବ ହେଲା ନାହିଁ। ସବୁ ଦିନ ଲାଗି ବିବେକ ଠାରେ ଦୋଷୀ ହୋଇ ରହିବା ମୋ ପକ୍ଷରେ ସମ୍ଭବ ନ ଥିଲା।
ରାଜା ଏହା ଶୁଣି ତିନି ଦିନ ପରେ ରାୟ ଦେବାକୁ ସ୍ଥିର କରି ଯୁବକକୁ ଜେଲକୁ ପଠାଇ ଦେଲେ। ତିନି ଦିନ ପରେ ବିଚାର ହେଲା।
ରାଜା ବିଚାର କରି କହିଲେ- ଆମ ଦଣ୍ଡବିଧି ଅନୁସାରେ ହତ୍ୟାକାରୀକୁ ମୃତ୍ୟୁ ଦଣ୍ତ ମିଳିବା କଥା। କିନ୍ତୁ ଏହି ଯୁବକଙ୍କୁ ତାହା ମିଳିବ ନାହିଁ। କାରଣ ତିନି ଦିନ ଭିତରେ ମୁଁ ଖବର ନେଇଛି ଯୁବକଟି ସତ୍ୟବାଦୀ ଓ ଉତ୍ତମ ସ୍ବଭାବର। କେବଳ ସେତିକି ନୁହେଁ, ଧରାପଡ଼ିବାର ସମ୍ଭାବନା ଥିବା ସତ୍ତ୍ବେ ସେ ଆତ୍ମସମର୍ପଣ କରି ଏହି ଗୁଣକୁ ପ୍ରମାଣିତ କରିଛି। ଏହା ମଧ୍ୟ ଜଣାପଡ଼ୁଛି ଯେ ତା’ ବିବେକ ହାତରେ ତା’ ଠାରେ ଥିବା ହତ୍ୟାକାରୀ ମଧ୍ୟ ମରି ସାରିଛି। ତେଣୁ ଆଉ ମୃତ୍ୟୁ ଦଣ୍ଡର ଆବଶ୍ୟକତା ନାହିଁ।
ରାଜାଙ୍କ ବିଚାର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)