ଧୋବଣୀ ଓ ସାଧୁ

କଥାଟିଏ-ଯାଯାବର

ଜଣେ ତରୁଣ ସାଧୁ ଥିଲେ। ସେ ତାଙ୍କ ସାଧନା ଭିତରେ ମଗ୍ନ ରହୁଥିଲେ ମଧୢ ତାଙ୍କୁ ଲାଗୁଥିଲା, ସତେ ଯେମିତି କିଛି ଗୋଟାଏ ଅଭାବ ରହିଯାଉଛି। ଅସଲ ଆତ୍ମ-ଜ୍ଞାନର ଅନୁସନ୍ଧାନରେ ସେ ରହୁଥିଲେ। ସେଥି ଲାଗି ନିଜ ମନକୁ ପରିଷ୍କାର କରିବା ଦିଗରେ ପ୍ରୟାସ କରୁଥିଲେ।
ଦିନକର କଥା। ତରୁଣ ସାଧୁ ଚିନ୍ତାମଗ୍ନ ହୋଇ ଅନ୍ୟମନସ୍କ ଭାବେ ଚାଲିଚାଲି ଯାଉଥାଆନ୍ତି। ବାଟରେ ସେ ଶୁଣିଲେ ଧୋବଣୀଟିଏ ଗୀତ ଗାଇଗାଇ ଲୁଗା ସଫାକରିଚାଲିଛି। ଧୋବଣୀର ଗୀତ ଶୁଣିଲା କ୍ଷଣି ସାଧୁଙ୍କ ମନ ପୁଲକରେ ଭରିଗଲା। ତାଙ୍କୁ ଲାଗିଲା ସତେ ଯେମିତି ସେ ବହୁ ଦିନରୁ ଖୋଜୁଥିବା ଏକ ଉତ୍ତର ପାଇଗଲେ।
ଧୋବଣୀ ଯେଉଁ ଗୀତ ଗାଉଥିଲା, ତା’ର ସାରମର୍ମ ଥିଲା ଏହି ପରି- ମୁଁ ଏଠି ଲୁଗାକୁ ପାଣିରେ ବାରମ୍ବାର ଧୋଉଛି। ତୁମେ ଭାବୁଥିବ ଯେ ମୁଁ ଏଠାରେ ଲୁଗା ସଫା କରୁଛି। କିନ୍ତୁ ନା, ମୁଁ ଲୁଗା ସଫା କରୁନାହିଁ। ଲୁଗା ତ ଆଗରୁ ସଫା ଥିଲା। ସେଥିରେ କେବଳ ଯାହା କିଛି ମଇଳା ଲାଗିଥିଲା, ମୁଁ ଏବେ ତାହା ଛଡ଼ାଉଛି। ସଫାକୁ ସଫା କରିବି କେମିତି? କେବଳ ସେଥିରେ ଲାଗିଥିବା ମଇଳାକୁ ଛଡ଼ାଇବି ନା!
ଏ କଥା ଶୁଣିଲା ପରେ ତରୁଣ ସାଧୁ ଭାବିଲେ, ସତେ ତ, ମୋ ମନ ତ ମୂଳରୁ ସଫା ଥିଲା। ଭଗବାନ୍‌ ମୋତେ ଗୋଟିଏ ସ୍ବଚ୍ଛ ମନ ଦେଇ ଜାତ କରିଥିଲେ। ତା’କୁ ଆଉ ସଫା କରିବି କ’ଣ? କେବଳ ମୋ ମନକୁ ଗୋଳିଆ କରୁଥିବା ମଇଳା ସଫା କରିବା ଯଥେଷ୍ଟ ହେବ।
ସାଧୁ ମନେ ମନେ ଧୋବଣୀକୁ ଧନ୍ୟବାଦ ଜଣାଇଲେ।

ସମ୍ବନ୍ଧିତ ଖବର