ରାଜାଙ୍କ ଦରବାରକୁ ଆସିଲେ ଜଣେ ଯୁବକ। ସେ କହିଲେ- ମହାରାଜ, ମୁଁ ଗୋଟିଏ ଅଦ୍ଭୁତ ଖେଳ ଦେଖାଇବି। ସେଇ ଖେଳରେ ଦୁଇ ପାହାଡ଼ର ଚୂଡ଼ାରୁ ବନ୍ଧା ହେବ ଦଉଡ଼ିଟିଏ। ସୁ ସୁ ପବନରେ ସେ ଦଉଡ଼ିଟି ପ୍ରବଳ ଭାବେ ଦୋହଲୁଥିବ। ଏଣେ ମୋ ଆଖିରେ ଅତି ଜୋରରେ କଳା ପଟିଟିଏ ଭିଡ଼ା ହୋଇଥିବ ଯେମିତି କି ମୋତେ କିଛି ଦିଶୁ ନ ଥିବ। ସେଇ ସ୍ଥିତିରେ ମୁଁ ସେଇ ଦଉଡ଼ି ଉପରେ ଚାଲି ଗୋଟିଏ ପର୍ବତରୁ ଅନ୍ୟ ପର୍ବତକୁ ଯିବି। ତଳକୁ ପଡ଼ିଗଲେ ମୋ ପ୍ରାଣ ଯିବା ନିଶ୍ଚିତ। ଆପଣ ଅନୁମତି ଦିଅନ୍ତୁ। ରାଜା ସମ୍ମତି ଜଣାଇଲେ।
କିଛି ସମୟ ପରେ ଯୁବକର ମାଆ ଆସି ନେହୁରା ହୋଇ କହିଲେ- ମହାରାଜ, ମୋ ପୁଅ ଏହି ସାମର୍ଥ୍ୟ ହାସଲ କରିବା ଲାଗି ବହୁତ ଅଭ୍ୟାସ କରିଛି। ହେଲେ ଅଭ୍ୟାସ ବେଳେ ନିରାପତ୍ତା ଲାଗି ତା’ ଦେହରେ ଦଉଡ଼ିଟିଏ ଏମିତି ଭାବେ ବନ୍ଧା ଯାଇଥାଏ ଯେ ସେ ଖସି ପଡ଼ିଲେ ତଳେ ନ ପଡ଼ି ଝୁଲି ରହେ। ଏବେ ତା’ ଲାଗି ଅନ୍ତତଃ ସେମିତି ଦଉଡ଼ିଟିଏର ବ୍ୟବସ୍ଥା କରନ୍ତୁ। ମାଆ ଚାଲିଗଲା ପରେ ଯୁବକ ବିନମ୍ରତାର ସହ ମହାରାଜାଙ୍କୁ କହିଲା- ମୋର ଅନୁରୋଧ ଯେ ମୋ ଲାଗି ସେମିତି ବ୍ୟବସ୍ଥା କରନ୍ତୁ ନାହିଁ। ରାଜା ଏଇ କଥାକୁ ଗୁରୁତ୍ବ ଦେଲେ।
ପର ଦିନ ଶହ ଶହ ଲୋକଙ୍କ ଉପସ୍ଥିତିରେ ଯୁବକ ସେ ଅଦ୍ଭୁତ ଖେଳକୁ ଅତି ସଫଳତାର ସହିତ ପ୍ରଦର୍ଶନ କଲେ। ରାଜା ତାଙ୍କୁ ସମ୍ମାନିତ କଲା ବେଳେ ସେ କହିଲେ- ଅଭ୍ୟାସ ବେଳେ ମୁଁ ସେଇ ନିରାପତ୍ତା ଦଉଡ଼ିଟି ବ୍ୟବହାର କରୁଥିଲି, କାରଣ ମୋତେ ଚୂଡ଼ାନ୍ତ ଖେଳ ଦେଖାଇବା ଯାଏ ବଞ୍ଚି ରହିବାର ଥିଲା। ଦ୍ବିତୀୟ କଥା ହେଲା, ଅଭ୍ୟାସଟା ସବୁବେଳେ ଅଭ୍ୟାସ; ଚୂଡ଼ାନ୍ତ ଖେଳ ହେଉଛି ସ˚ପୂର୍ଣ୍ଣ ଅଲଗା କଥା। ଏଭଳି ବିପଜ୍ଜନକ ଖେଳରେ ନିଜ ଉପରେ ଓ ଭଗବାନଙ୍କ ଉପରେ ଥିବା ଅତୁଟ ଆସ୍ଥା ଭିତରେ ଆଉ କିଛି ଆସିବା କଥା ନୁହେଁ। ନିରାପତ୍ତା ଦଉଡ଼ିର ଅର୍ଥ ମୋ ନିଜ ଉପରେ ବା ଭଗବାନଙ୍କ ଉପରେ ମୋର ଆସ୍ଥାରେ ଊଣା ଭାବ ଅଛି।
ନିରାପତ୍ତା ଓ ଆସ୍ଥା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/02/foot123.jpg)