ଥରେ ଗୋଟିଏ ରାଜ୍ୟରେ ରାଜା ଅପୁତ୍ରକ ଥିବାରୁ ତାଙ୍କ ଅନ୍ତେ ନୂଆ ରାଜା ଲାଗି ହାତୀ ସୁନା କଳସ ଧରି ରାଜଧାନୀରେ ବୁଲିଲା। ଶେଷରେ ଜଣେ ଯୁବକର ମସ୍ତକରେ ହାତୀ ସୁନା କଳସ ଢାଳିବାରୁ ସେଇ ଯୁବକକୁ ରାଜା ଭାବେ ଅଭିଷେକ କରାଗଲା।
ଅଭିଷେକ ହେବାର ପର ଦିନ ନୂଆ ରାଜାଙ୍କ ପାରିଧିର ଆୟୋଜନ କରାଗଲା। ପାତ୍ରମନ୍ତ୍ରୀ, ସୈନ୍ୟସାମନ୍ତଙ୍କ ଗହଣରେ ରାଜା ପାରିଧିରେ ବାହାରିଲେ ଏବ˚ ଶେଷରେ ସ୍ଥିର କରାଗଲା ଯେ ରାଜା ଶିକାର କରିବେ। ଜଙ୍ଗଲ ଭିତରକୁ ପଶିବା କ୍ଷଣି ସୈନ୍ୟମାନେ ଚାରିଆଡ଼େ ଖେଦିଗଲେ ଏବ˚ ସେମାନେ ଜଙ୍ଗଲ ଭିତରେ ଘେରି ଯାଇ ଗୋଟିଏ ମହାବଳ ବାଘକୁ ରାଜାଙ୍କ ପାଖକୁ ତଡ଼ି ଆଣିଲେ। ଏତେ ଲୋକଙ୍କୁ ଦେଖି ଏବ˚ ସେମାନଙ୍କ କୋଳାହଳ ଶୁଣି ବାଘଟି ଭୟରେ ଜଡ଼ ପାଲଟି ଯାଇଥିଲା। ସେ ପାଖକୁ ଆସିବା କ୍ଷଣି ଜଣେ ଅମାତ୍ୟ ରାଜାଙ୍କ ହାତକୁ ଧନୁ ତୀର ଦେଇ କହିଲା- ମହାରାଜ ବିଳମ୍ବ ଓ ଭୟ ନ କରି ୟାକୁ ବିନ୍ଧି ଦିଅନ୍ତୁ। ନୂଆ ରାଜା ଏ ସବୁଥିରେ ଏମିତି ଗ୍ରସ୍ତ ହୋଇଯାଇଥିଲେ ଯେ ଯନ୍ତ୍ରବତ୍‌ ସେଇ ଭୟାର୍ତ୍ତ ଜଡ଼ବତ୍‌ ବାଘକୁ ତୀର ବିନ୍ଧିଦେଲେ ଏବ˚ ବାଘ ମରିଗଲା। ଆନନ୍ଦ ଉଲ୍ଲାସରେ ସମସ୍ତେ ଫାଟି ପଡ଼ିଲେ। ବାଘର ମୃତ ଶରୀର ଧରି ଫେରିଲା ବେଳେ ସେମାନେ ଘୋଷଣା କଲେ ରାଜା ଜଣେ ବିଚକ୍ଷଣ ଶିକାରୀ।
ନୂଆ ରାଜା ବିସ୍ମିତ ହୋଇ ମନ୍ତ୍ରୀଙ୍କୁ ଚାହିଁବାରୁ ମନ୍ତ୍ରୀ କହିଲେ- ଏମିତି ଭାବମୂର୍ତ୍ତି ତିଆରି ହେବା ଲୋଡ଼ା। ନ ହେଲେ ରାଜା ସମ୍ମାନ ପାଇବେ କେମିତି?
ପରଦିନ ସକାଳେ ଦେଖାଗଲା ଯେ ରାଜା ନିରୁଦ୍ଦିଷ୍ଟ। ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ପତ୍ରଟିଏ ଛାଡ଼ିଥିଲେ। ପତ୍ରରେ ଲେଖାଥିଲା- ଯାହା ମୁଁ ନୁହେଁ, ତାହା ମୋତେ କରାଇ ଦିଆଯାଇପାରିବ ସିନା, ମୁଁ ତାହା ହୋଇପାରିବି ନାହିଁ। ତେଣୁ ବିଦାୟ।