ଜଣେ ସନ୍ତରଣପଟୁ ଯୁବକ ଥିଲା। ସେ ଥରେ ବିଚାର କଲା ଯେ ତା’ ପ୍ରଦେଶର ସବୁଠାରୁ ଚଉଡ଼ା ନଈକୁ ପହଁରି ପହଁରି ପାର କରିବ। ଖବରକାଗଜରେ ଏ ବିଷୟରେ ପ୍ରଚାରିତ ହୋଇଗଲା। ତେଣୁ ଦିନ ଧାର୍ଯ୍ୟ ହେଲା।
ନଈଟି ଥିଲା ବାସ୍ତବିକ ବହୁତ ଚଉଡ଼ା। ଏ କୂଳରୁ ଆର କୂଳକୁ ଚାହିଁଲେ ଆଖି ପାଉ ନ ଥିଲା। ଯୁବକ ସେଇ ନଈକୁୁ ପାର କରିବାକୁ ପ୍ରସ୍ତୁତ ହେଲା। ଆୟୋଜକମାନେ ଜଣାଇ ଦେଲେ ନଈର ଠିକ୍ ମଝିରେ ଏକ ଖୁଣ୍ଟ ରହିଛି, ଯହିଁରୁ ସନ୍ତରଣକାରୀ କେତେ ଦୂର ପହଁରିଲାଣି ତାହା ଜାଣି ପାରିବ।
ଯୁବକ ଏଥର ଭଗବାନଙ୍କୁ ସୁମରଣା କରି ନଈରେ ତା’ର ସନ୍ତରଣ ଆରମ୍ଭ କଲା। ସେ ଯେତିକି ଭାବିଥିଲା, ନଈଟି ଥିଲା ତା’ ଠାରୁ ଆହୁରି ଅନେକ ଅଧିକ ଚଉଡ଼ା। ଘଣ୍ଟାଏ ପହଁରିବା ପରେ ଯାଇ ସେ ଖୁଣ୍ଟ ପାଖରେ ପହଞ୍ଚିଲା। କିନ୍ତୁ ଏତେ ବେଳକୁ ସେ କ୍ଳାନ୍ତ ହୋଇଯାଇଥିଲା। ସେ ଭାବିଲା ଏତେ ପହଁରିବା ପରେ ମୁଁ ଆସିଛି ମାତ୍ର ଅଧା ବାଟ। ଆର କୂଳରେ ପହଞ୍ଚି ପାରିବା ସମ୍ଭବ ନୁହେଁ। ଆଉ ସାହସ ନ ଥିଲା। ତେଣୁ ପ୍ରାଣ ବିକଳରେ ସେ ଫେରିଲା। ଅନେକ ପହଁରିବା ପରେ ସେ ଏ ପଟର କୂଳରେ ପହଞ୍ଚିଲା। କୂଳରେ ପହଞ୍ଚି ସେ ଅଚେତ ହୋଇଗଲା।
ଚେତା ପାଇ ସାଷ୍ଟମ ହେବା ପରେ ତା’ ବାପା କହିଲେ- ଦୁଃଖ କାହିଁକି କରୁଛୁ। ତୁ ତ ପ୍ରକୃତରେ ନଦୀକୁ ପହଁରି ପାରି ହୋଇଯାଇଛୁ। କେବଳ ପ୍ରଭେଦ ହେଲା, ଯେତିକି ବାଟ ତୁ ପଛକୁ ଫେରିଲୁ, ସେତିକି ଆଗକୁ ଯାଇଥିଲେ ତୁ ଆର କୂଳ ଛୁଇଁ ପାରିଥାଆନ୍ତୁ। ତୋ ପାଖରେ ସବୁ ଅଛି। କେବଳ ସାହସ ନାହିଁ। ସେତକ ନେଇ ପହଁରିବାକୁ ଯାଆ, ଦେଖିବୁ ସଫଳ ହେବୁ।
ନଦୀ ପହଁରା କଥା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)