ଗାଁର ସବୁଠାରୁ ବଡ଼ ଯୋଦ୍ଧାଙ୍କ ଘରେ ଗୋଟିଏ ମୂଷା ମାତିଲା। ତାକୁ ସାବାଡ଼ କରିବା ଲାଗି ସେ ହିଁ ଭଣ୍ଡାର ଘର ଭିତରକୁ ପଶିଲେ। ସେ ଥିଲେ ଓସ୍ତାଦ ତଲୱାରବାଜ। ସମସ୍ତେ ଭାବିଲେ ମୂଷା ପଞ୍ଚତ୍ବ ଲାଭ କରିବା ଥୟ। କିନ୍ତୁ କିଛି ସମୟ ପରେ ଗଳଦ୍ଘର୍ମ ଯୋଦ୍ଧା ତାଙ୍କ ଭଙ୍ଗା ଖଣ୍ଡା ସହିତ ବାହାରକୁ ବାହାରିଲେ। କହିବା ବାହୁଲ୍ୟ ଯେ ମୂଷାଟି ସେମିତି ଅକ୍ଷତ ଥିଲା।
ଯୋଦ୍ଧା ଏବେ ତାଙ୍କ ବନ୍ଧୁଙ୍କ ଠାରୁ ମୂଷା ନିବାରଣର ଇଲମ ମାଗିଲେ। ବନ୍ଧୁ କହିଲେ- ଯାହା ପାଇଁ ଯିଏ ଲୋଡ଼ା। ତୁମ ବିଦ୍ୟା ଯୁଦ୍ଧ କ୍ଷେତ୍ରରେ କାମରେ ଲାଗିବ। ମୂଷା ମାରିବା ଲାଗି କେବଳ ବିରାଡ଼ିଟିଏ ଆଣ।
ଏହା ଶୁଣି ଗାଁ ବିରାଡ଼ିଙ୍କ ମଧ୍ୟରେ ଭୟ ଖେଳିଗଲା। ସେମାନେ କହିଲେ- ଆମ ଭେଳା ବୁଡ଼ିଲା ଜାଣ। ଯେଉଁଠି ଏତେ ବୀର ଯୋଦ୍ଧା ମୂଷାକୁ ମାରିବାକୁ ବିଫଳ ଏବଂ ତାଙ୍କ ଖଣ୍ଡା ଭାଙ୍ଗି ଯାଉଛି, ଆମେ କିବା ଛାର! ଏ ମୂଷା ଆମର ବଦନାମ କରିବ ନିଶ୍ଚୟ। ଏହା କହି ବିରାଡ଼ିମାନେ ଗାଁ ଛାଡ଼ିବାକୁ ବାହରିଲେ। କିନ୍ତୁ ସେଭଳି କରିବାକୁ ମନା କଲା ବୁଢ଼ା ବିରାଡ଼ି। ସେ କହିଲା- ଭୟ କରନାହିଁ। ମୁଁ ମୂଷା ଧରିବି।
ଏହା କହି ସେ ଘର ଭିତରକୁ ପଶିଲା ଏବଂ କ୍ଷଣିକ ଭିତରେ ମୂଷାକୁ ଧରି ବାହାରିଲା। ବିରାଡ଼ିମାନେ ଏହା ଦେଖି ଜୟଜୟକାର କରି ପଚାରିଲେ- ଏହା କିଭଳି ସମ୍ଭବ ହେଲା?
ବୁଢ଼ା ବିରାଡ଼ି କହିଲା- ଏମିତି କାହିଁକି ହେଉଛ? ଏହା ତ ସ୍ବାଭାବିକ କଥା। ସ୍ବଭାବଗତ ଭାବେ ମୁଁ ବିରାଡ଼ି ଓ ସେ ମୂଷା। ସେ ଆମର ଆହାର ହେବା ଯୋଗ୍ୟ। ତୁମେମାନେ ସେଇ କଥାଟି ଭୁଲିଗଲ। ନିଜ ସ୍ବଭାବକୁ ଗୌଣ ମନେ କଲ। ତୁମେମାନେ ଭାବିଲ ମୂଷାଟି ତୀସମାରଖାନ। ତାହା ହିଁ ତୁମ ଭୟର କାରଣ ହେଲା।
ମୂଷା ଧରା ରହସ୍ୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)