ଶିକ୍ଷକ ପିଲାମାନଙ୍କୁ ପଢ଼ାଉଥିବା ବେଳେ ଗୋଟିଏ ଉଦାହରଣର ଅବତାରଣା କଲେ।
ସେ କହିଲେ- ଗୋଟିଏ ସହରରେ ଥିଲେ ଜଣେ ଅତି ଧନୀ ବ୍ୟକ୍ତି। ଥରେ ସେ ସହରର ଗୋଟିଏ ଦରିଦ୍ର ଅଞ୍ଚଳ ଦେଇ ଯାଉଥିବା ବେଳେ ଅତି ଜୋର୍‌ରେ ବର୍ଷା ହେଲା। ଧନୀ ବ୍ୟକ୍ତିଙ୍କ ଅନୁଚରମାନେ ଛତାଟିଏ ଟେକି ଧରିଲେ।
ଧନୀ ଜଣକ ସେମାନଙ୍କୁ ବାରଣ କରି କହିଲେ- ଛତା କାହିଁକି ଖୋଲୁଛ? ଏହାଦ୍ବାରା କ’ଣ ବର୍ଷା ବନ୍ଦ ହୋଇଯିବ? ତେଣୁ ସେ ମଧ୍ୟ ଅନ୍ୟମାନଙ୍କ ଭଳି ଭିଜିବାରେ ଲାଗିଲେ।
କଥାଟି ଉପସ୍ଥାପନ କରି ଶିକ୍ଷକ ପଚାରିଲେ- ଆଚ୍ଛା ପିଲାଏ ଏହି ଘଟଣାରୁ ଧନୀ ବ୍ୟକ୍ତିଙ୍କ ସମ୍ବନ୍ଧରେ କିଛି କହିପାରିବ?
ପିଲାଏ ଯାହା କହିଲେ ତା’ର ସାର ଥିଲା ଯେ ଧନୀ ବ୍ୟକ୍ତି ଜଣକ କରୁଣାମୟ। ସେ ଦେଖିଲେ ଯେ ଆଖପାଖରେ ସମସ୍ତେ ଭିଜୁଥିବା ବେଳେ କେବଳ ଛତା ଦ୍ବାରା ସେ ନିଜେ ସୁରକ୍ଷିତ ରହିବା ଅବିବେକୀ ହୋଇପାରେ। ତେଣୁ ସେ ସମସ୍ତଙ୍କ ଭଳି ଭିଜିବାରେ ଲାଗିଲେ।
ଶିକ୍ଷକ କହିଲେ- ତାହା ଠିକ୍‌। ତାଙ୍କ ମନରେ ଥିବା ଦୟା ଭାବକୁ ତୁମେ ଠିକ୍ ଧରି ପାରିଛ। ତାଙ୍କଠାରେ ତୁମେ ଦେଖିଲ ଅନ୍ୟମାନଙ୍କ ସହିତ ସମଦୁଃଖୀ ହେବାର ଗୁଣ।
ତାହା ଭଲ ନିଶ୍ଚୟ, କିନ୍ତୁ ସେ ପର୍ଯ୍ୟନ୍ତ ସେ ମହାନ ହୋଇ ନାହାନ୍ତି। ପରଦିନ ସେ ଯାହା କଲେ ତାହା ତାଙ୍କୁ ମହାନ କଲା। କାରଣ ପରଦିନ ସେ ସେହି ଅଞ୍ଚଳର ସମସ୍ତଙ୍କୁ ଗୋଟିଏ ଗୋଟିଏ ଛତା ଦେଲେ।
ସମସ୍ୟାରେ ସମଦୁଃଖୀ ହେବା ହେଉଛି ସମସ୍ୟାକୁ ସ୍ବୀକାର କରିନେବା। କିନ୍ତୁ ପରେ ସେ ଯାହା କଲେ ତହିଁରେ ଥିଲା ସମାଧାନର ପନ୍ଥା ନିର୍ଦ୍ଧାରଣ।