ଜଣେ ବ୍ୟକ୍ତି ଗୁରୁଙ୍କୁ କହିଲେ- ମହାତ୍ମା, ମୁଁ ବଡ଼ ଦୁଃଖରେ ଅଛି।
ଗୁରୁ କହିଲେ- ସବୁ କଥା ଫିଟାଇ କୁହ।
ଭଦ୍ରଲୋକ କହିଲେ- ମୁଁ ଯାହା ଚାହିଁଛି, ତାହା କେବେ ପାଇ ପାରିଲିନାହିଁ। ଚାହିଁଥିଲି ଭଲ ଘରଟିଏ କରିବି, କିନ୍ତୁ ଜୀବନର ଅପରାହ୍‌ଣରେ ବି ଛୋଟ ଭଡ଼ା ଘରେ ରହିବାକୁ ପଡୁଛି। ଭାବିଥିଲି ଭଲ ରୋଜଗାର କରି ଆରାମରେ ଚଳିବି, କିନ୍ତୁ ଭଲ ଆୟ ବି କରିପାରିଲି ନାହିଁ। ଖାଲି ଚଳିବା ଲାଗି ରୋଜଗାର କରୁଛି। ପିଲାଟା ଭଲ ପଢୁଥିଲା। ଭାବିଥିଲି ବଡ଼ ଚାକିରି କରିବ। ସନ୍ତାନ ସୁଖ ମୋ ଭାଗ୍ୟରେ ଆସିବ। କିନ୍ତୁ, ତାହା ବି ହେଲା ନାହିଁ। ତା’ ପାଠ ପଢ଼ା କୁଆଡ଼େ ଗଲା! ଏବେ ମୋ ପାଖରେ ରହି ଛୋଟିଆ ବେପାରଟିଏ କରିଛି, ସେଥିରେ ତା’ର ବି ଢୋକେ ପିଇ ଦଣ୍ତେ ଜିଇବା ଭଳି ଅବସ୍ଥା।
ଏ ସବୁ ଶୁଣିବା ପରେ ଗୁରୁ କହିଲେ- ମୁଁ ତୁମ କଥାରୁ ଯାହା ବୁଝିଲି ତାହା ହେଲା ତୁମେ ଏ ପର୍ଯ୍ୟନ୍ତ ସଂସାରର ଭିଆଣକୁ ବୁଝିନାହଁ। ତୁମେ ବୋଧହୁଏ ଭାବି ନେଇଛ ଯେ ତୁମେ ହିଁ ସଂସାର କେନ୍ଦ୍ର ଏବଂ ତୁମେ ଚାହୁଁଥିବା ଭଳି ସବୁ କିଛି ଘଟି ଚାଲିବ। ସେମିତି ହୁଏନା। ଦୁଇଟି ଧାରାରେ ଦୁଇଟି ଇଚ୍ଛା ସମାନ୍ତରାଳ ଭାବେ ବହି ଚାଲିଥା‌ଏ। ଗୋଟିଏ ଈଶ୍ବର ବା ଅଦୃଷ୍ଟର ଇଚ୍ଛା ଆଉ ଗୋଟିଏ ମନୁଷ୍ୟର ଇଚ୍ଛା। ଯେତେବେଳେ ଈଶ୍ବରଙ୍କ ଇଚ୍ଛା ମନୁଷ୍ୟର ଇଚ୍ଛା ସହିତ ମେଳ ଖାଇଯାଏ, ସେତେବେଳେ ମନୁଷ୍ୟକୁ ଲାଗେ ତା’ର ଇଚ୍ଛା ପୂରଣ ହେଲା। କିନ୍ତୁ ତାହା ମଧ୍ୟ ପ୍ରକୃତରେ ଈଶ୍ବରଙ୍କ ଇଚ୍ଛା। ଯେତେବେଳେ ଈଶ୍ବରଙ୍କ ଇଚ୍ଛା ଓ ମନୁଷ୍ୟର ଇଚ୍ଛା ମଧ୍ୟରେ ବ୍ୟବଧାନ ରହେ, ଯେମିତି ତୁମ ଜୀବନରେ ହୋଇଛି, ସେତିକି ବେଳେ ମନୁଷ୍ୟ ହତାଶ ହୁଏ ଓ ଭାବେ ଯେ ତା’ର ଇଚ୍ଛା ପୂରଣ ହେଲା ନାହିଁ। କିନ୍ତୁ ମୂଳ କଥା ହେଲା, ତାହା ମଧ୍ୟ ଈଶ୍ବରଙ୍କ ଇଚ୍ଛା। ଏହି କଥା ବୁଝିଲେ ସବୁ କିଛି ଈଶ୍ବରଙ୍କ ଭିଆଣ ବୋଲି ଜାଣି ଜଣେ ଆଶ୍ବସ୍ତ ହୋଇପାରେ।