ଗୌତମ ବୁଦ୍ଧଙ୍କ ଜଣେ ଶିଷ୍ୟ ଥିଲେ ସମୁଂଜଳି। ସେ ସନ୍ନ୍ୟାସ ନେଇ ଆଶ୍ରମରେ ରହୁଥିଲେ। ଥରେ ବୁଦ୍ଧଙ୍କ ଗୋଟିଏ ବାଣୀ ତାଙ୍କ ମସ୍ତିଷ୍କରେ ଘର କରି ରହିଗଲା। ତାହା ଥିଲା, ‘ସ୍ବଚ୍ଛ ଓ ପରିଚ୍ଛନ୍ନ ରହ।’ ତା’ ପରଠାରୁ ସମୁଂଜଳି ଗୋଟିଏ ଝାଡୁ ଧରି ଅହୋରାତ୍ର ଘୂରି ବୁଲିବାକୁ ଲାଗିଲେ। ସେ ରହୁଥିବା ଓ ବସୁଥିବା ସବୁ ସ୍ଥାନକୁ ସବୁ ବେଳେ ପରିଷ୍କାର କରିବାରେ ଲାଗିଲେ। ଅବିଶ୍ରାନ୍ତ ଭାବେ ସେଥିରେ ଲାଗି ରହିଲେ।
ଏକଦା ବୁଦ୍ଧଙ୍କ ଜଣେ ପ୍ରବୀଣ ଶିଷ୍ୟ ରେବତ ତାଙ୍କୁ କହିଲେ- ୟେ କ’ଣ କରୁଛ ସମୁଂଜଳି?
ସମୁଂଜଳି କହିଲେ- ଆମେ ରହୁଥିବା ସ୍ଥାନକୁ ପରିଷ୍କାର କରୁଛି। ତାହା କ’ଣ ଖରାପ?
ରେବତ କହିଲେ- ପରିଚ୍ଛନ୍ନତା ତ ଅତି ଭଲ କଥା। କିନ୍ତୁ ଏଭଳି ଦିବାରାତ୍ର ପରିଚ୍ଛନ୍ନତାର ପ୍ରୟାସର ପ୍ରୟୋଜନ କ’ଣ?
ସମୁଂଜଳି କହିଲେ- ତଥାଗତଙ୍କ ଉପଦେଶ ଥିଲା ପରିଚ୍ଛନ୍ନ ରହ।
ରେବତ କହିଲେ- ଅତି ଉତ୍ତମ। କିନ୍ତୁ ତଥାଗତଙ୍କ ଉକ୍ତିର ଦୁଇଟି ମର୍ମ ରହିଛି। ଯେଉଁ ମର୍ମଟି ତୁମେ ବୁଝି ପାରିନାହଁ, ତାହା ହେଲା ତୁମେ ନିଜ ଅଭ୍ୟନ୍ତରକୁ ମଧ୍ୟ ପରିଚ୍ଛନ୍ନ କର। କେବେ ଟିକିଏ ଅବସର ନେଇ ନିରବରେ ବସି ନିଜ ଅଭ୍ୟନ୍ତରକୁ ଦେଖିବାକୁ ଚେଷ୍ଟା କର। ଦେଖିବ କିଛି ହେଲେ ଦିଶୁନାହିଁ। ଧାରଣା, କଳ୍ପନା, ପ୍ରଶ୍ନ, ସଂଶୟ, ସନ୍ଦେହ, ଈର୍ଷା, ଦ୍ବେଷ ଆଦିର ଧୂଳିରେ ତାହା ଏଭଳି ଭରା େଯ ଅନ୍ତରରେ ଥିବା ଦର୍ପଣଟି ଆଦୌ ଦିଶୁନାହିଁ। ଏବେ ତାକୁ ସଫା କରିବାର ଉଦ୍ୟମ କର। ମନର ମୁକୁର ସ୍ବଚ୍ଛ ହୋଇ ଉଠୁ।
ସମୁଂଜଳି କହିଲେ- ସତେ ତ! ମୋ ମୁଣ୍ଡରେ ଏହା ପଶି ନ ଥିଲା!
ଏବେ ସମୁଂଜଳି ଏହାକୁ ମାନିଲେ। ଝାଡୁ ଧରି ସଦାବେଳେ ଚାରି ଆଡ଼େ ବୁଲିବା ଛାଡ଼ି ଧ୍ୟାନରେ ବସିଲେ।
ଅଭ୍ୟନ୍ତରର ମଇଳା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)