କୋହିନୁର ହୀରାକୁ ନେଇ କିଂବଦନ୍ତିଟି ଏହି ଭଳି।
ଗୋଲକୁଣ୍ଡାର ଜଣେ ଚାଷୀ ତା’ ଜମିରୁ ଗୋଟିଏ ପଥର ପାଇଲା। ତାକୁ ଘରକୁ ନେଇ ଆସିଲା, ଯାହା ସହିତ ତା’ର ପିଲାଏ ଖେଳିଲେ। ପଥରଟି ଘରର ଗୋଟିଏ କୋଣରେ ପଡ଼ି ରହିଲା।
ଦିନେ ଚାଷୀ ଘରେ ଅତିଥି ହେଲେ ଜଣେ ଭବଘୂରା ଫକିର। ସେ କହିଲେ- ଏଠି ପଥୁରିଆ ଜମିରେ ହାଡ଼ ଭାଙ୍ଗି କ’ଣ ପାଉଛୁ? ବାହାରକୁ ଯାଆ। ସଂସାର ଦେଖ। ବାହାରେ ସୁନା ଓ ହୀରାର କାରବାର ଚାଲିଛି। କେତେ କ’ଣ ହେଉଛି। ତହିଁରୁ ଶିଖ। ତୋ ଭାଗ୍ୟ ବଦଳିଯିବ। ଏଠି ବସି ରହି କ’ଶ ପାଉଛୁ?
ଚାଷୀ ମନକୁ କଥାଟି ପାଇଲା। ସେ ଘର ଛାଡ଼ି ଭାଗ୍ୟର ତଲାସରେ ବାହାରି ଗଲା। ଅନେକ ବୁଲିଲା। ସୁନା ଓ ହୀରାର ଜହୁରିମାନଙ୍କ ପାଖରେ କାମ କଲା, ଅନେକ ଦୁଃଖ କଷ୍ଟ ବି ଦେଖିଲା। ଚାକର ହେଲା, କ୍ରୀତଦାସ ହେଲା। ଏବଂ ଭିକ ମାଗିଲା। କିନ୍ତୁ ଭାଗ୍ୟ ବଦଳିଲା ନାହିଁ।
ପାଞ୍ଚ ବର୍ଷ ପରେ ଭିକାରିଙ୍କ ଭଳି ଅବସ୍ଥାରେ ଘରକୁ ଫେରିଲା। ତେବେ, ପାଞ୍ଚ ବର୍ଷର ଦୁନିଆ ଦେଖିବା ଭିତରେ ତା’ର ଆଖି ଖୋଲି ଯାଇଥିଲା। ସେ ଘରକୁ ପଶିବା ମାତ୍ରକେ ଘରର କୋଣରେ ପଡ଼ିଥିବା ସେଇ ପଥରକୁ ଦେଖି ହତଭମ୍ବ ହୋଇ ଚିତ୍କାର କଲା, ‘ହୀରା!’ ତା’ର ଆଖି ଏବେ ପଥର ଆଉ ହୀରା ଭିତରେ ପ୍ରଭେଦ ଜାଣି ପାରୁଥିଲା।
ତାହା ପୁଣି ସାଧାରଣ ହୀରା ନ ଥିଲା। ତାହା ଥିଲା କୋହିନୁର। ଉଲ୍ଲେଖ ଥାଉ କି ସେହି ଚାଷୀର ଜମି ତଳେ ଆବିଷ୍କୃତ ହେଲା ଗୋଲକୁଣ୍ଡାର ପ୍ରସିଦ୍ଧ ହୀରା ଖଣି।
କୋହିନୁର କିଂବଦନ୍ତି
କଥାଟିଏ-ଯାଯାବର