ଜଣେ ଯୁବକ ଶାସ୍ତ୍ର, ପୋଥି ଆଦି ପଢ଼ି ପଢ଼ି ଥକି ଗଲା ପରେ ସୁଦ୍ଧା ସେହି ପରମ ଜ୍ଞାନ ହାସଲ କରି ପା‌ରି ନ ଥିବା ଗ୍ଳାନି ଧରି ଜଣେ ଗୁରୁଙ୍କ ଅନୁସନ୍ଧାନରେ ବାହାରିଲେ। ଜଣେ ବୃଦ୍ଧ ତାଙ୍କୁ ଯାହାଙ୍କ ସନ୍ଧାନ ‌େଦଲେ, ସେ ଥିଲେ ଜ‌େଣ ଅତି ଦରିଦ୍ର ବ୍ୟକ୍ତି, ଯିଏ ଗାଁ ମୁଣ୍ଡରେ କୁଡ଼ିଆଟିଏ କରି ରହୁଥିଲେ। ବିଦ୍ବାନ୍‌ ଯୁବକ ତାଙ୍କ ପାଖରେ ପହଞ୍ଚି ନିଜ ଅଭିଳାଷ ବିଷୟରେ କହିଲେ।
ସେହି ବ୍ୟକ୍ତି ସବୁ କଥା ଶୁଣିବା ପରେ ଯୁବକଙ୍କୁ କହିଲେ- ତୁମକୁ ସେ ଜ୍ଞାନ ଦେବି, କିନ୍ତୁ ତୁମକୁ ମୋ ଲାଗି ଗୋଟିଏ କାମ କରିବାକୁ ହେବ। ଏ ଯେଉଁ ପାହାଡ଼ ଦିଶୁଛି, ତା’ର ଚୂଡ଼ାରେ ଜମିଥିବା ପାଣିରୁ ମୁନ୍ଦାଏ ମୋ ଲାଗି ଆଣିବାକୁ ହେବ।
ବିଦ୍ବାନ୍‌ ଏହା ଶୁଣି ଗୋଟିଏ ପାତ୍ର ଧରି ପାହାଡ଼ ଚଢ଼ିବାକୁ ବାହାରିଗଲେ। ପାହାଡ଼ଟି ଥିଲା ଛୋଟ। ‌ପାଦ ଚଲା ରାସ୍ତାଟିଏ ବି ଥିଲା। ତେଣୁ ସେ ଚୂଡ଼ାରେ ପହଞ୍ଚି ଗ‌େଲ। କିଛି ସମୟ ପୂର୍ବରୁ ଭଲ ବର୍ଷା ହୋଇଥିଲା। କିନ୍ତୁ ପାହାଡ଼ର ଚୂଡ଼ାରେ ପାଣି ରହନ୍ତା କିପରି? ପାଣି ତଳକୁ ବହି ଆସିଥିଲା। ଗୁରୁଙ୍କ କଥାରେ ମାତି ଏହି ସା‌ଧାରଣ ଜ୍ଞା‌ନ ଖଟାଇ ନ ଥିବା ହେତୁ ଯୁବକ ନିଜର ବୋକାମିକୁ ଧିକ୍କାର କରି ଫେରିଲେ।
ଏଭଳି ସ୍ଥିତିରେ ଗୁରୁ କହିଲେ- କଥା ତ ସେଇଠି! ପରମ ଜ୍ଞାନ ବା ପରମ ସତ୍ୟ, ଯାହା କେବଳ ଈଶ୍ବରଙ୍କ ଆଶୀର୍ବାଦର ବର୍ଷା ଦ୍ବାରା ସମ୍ଭବ, ତାହା କେବଳ ଖାଲ ଅଞ୍ଚଳରେ ଭରିଯାଏ। ନିଜକୁ ଖାଲି ନ କରି ମଥା ଟେକି ରହିଥିବା ହେତୁ ପାହାଡ଼ ତା’ର ସୁଫଳ ପାଇପାରେ ନାହିଁ। ନିଜକୁ ଖାଲି କରିଦେଲେ ଏବଂ ମୁଣ୍ଡ ନୁଆଁଇ ଜାଣିଲେ ସେହି ଆଶୀର୍ବାଦର ବାରିକୁ ଧରି ହୁଏ ଓ ‌େସଥିରୁ ପିଇ ହୁଏ।
ବିଦ୍ବାନ୍‌ ଯୁବକ ଗୁଣୀ ଥିଲେ। ପଦକ କଥାରୁ ସେ ପରମ ଜ୍ଞାନ ହିଁ ପାଇଗଲେ। ଗୁରୁଙ୍କୁ କୃତଜ୍ଞତା ଜଣାଇ ଫେରିଗଲେ।