ପ୍ରାର୍ଥନାର ବାଗ

କଥାଟିଏ-ଯାଯାବର

ଜଣେ ମରୁଯାତ୍ରୀ ଦଳଠାରୁ ଅଲଗା ହୋଇ ଯିବାରୁ ବିବ୍ରତ ହୋଇଉଠିଲା। ଏଣେ ସେ ଦେଖିଲା ଯେ ତା’ ପାଖରେ ପାଣି ସରିଯାଇଛି। ସେ ବ୍ୟାକୁଳ ହୋଇ ଭଗବାନଙ୍କୁ ଡାକିଲା। କିଛି ସମୟ ପରେ ଗୋଟିଏ ବିଚିତ୍ର କଥା ଘଟିଲା। ତା’ ଆଗକୁ ଚାଲି ଆସିଲା ଗୋଟିଏ ଗୋଠ ଖଣ୍ତିଆ ଓଟ, ଯାହା ପିଠିରେ ଥିଲା ପାଣି ଭରା ଚମଡ଼ା ମୁଣି। ସେ ମନ ଇଚ୍ଛା ପାଣି ପିଇ କିଛି ପାଣି ସାଙ୍ଗରେ ନେଇ ଭଗବାନଙ୍କୁ କୃତଜ୍ଞତା ଜଣାଇ ଆଗକୁ ଚାଲିଲା।
ସେ ଯେତେବେଳେ ଏଇ କଥା ତା’ର ଜେଜେବାପାଙ୍କୁ କହିଲା ସେ କହିଲେ- ଏହା ଈଶ୍ବରଙ୍କ ଆଶୀର୍ବାଦ। ତୁ ଯଦି ଏ ଆଶୀର୍ବାଦ ପାଇବାକୁ ଚାହୁଁ ତେବେ ସର୍ବଦା ଏକୁଟିଆ ଯାତ୍ରା କରିବୁ।
ଲୋକଟି ବରାବର ସେମିତି ଏକୁଟିଆ ଯାତ୍ରା କଲା ଏବ˚ ବାଟରେ କିଛି ଅସୁବିଧା ପଡ଼ିଲେ ଭଗବାନଙ୍କୁ ବ୍ୟାକୁଳ ଚିତ୍ତରେ ଡାକିଲେ ଏମିତି କିଛି ଘଟେ ଯେ ତାକୁ ଲାଗେ ଭଗବାନ ତାକୁ ସାହାଯ୍ୟ କରୁଛନ୍ତି।
ଦିନକର କଥା। ମରୁଭୂମିରେ ଯାତ୍ରା କରୁଥିବା ବେଳେ ହଠାତ୍‌ ଜୁଟିଲା ଆଉ ଜଣେ ବାଟ ଭୁଲା ମରୁଯାତ୍ରୀ। ଦୁହେଁ ଏକା ସାଙ୍ଗରେ ଚାଲିଲେ। ବାଟ ଭୁଲିଥିବା ଲୋକଟି ପ୍ରବଳ ତୃଷାର୍ତ୍ତ ଥିବାରୁ ତା’ର ସାଥୀକୁ ପାଣି ମାଗି ଯେତେବେଳେ ଜାଣିଲା ଯେ ତା’ ସାଥୀ ପାଖରେ ପାଣି ନାହିଁ ସେ ପ୍ରମାଦ ଗଣିଲା।
ଏହା ଦେଖି ତା’ର ସାଥୀ କହିଲା- ବ୍ୟସ୍ତ ହୁଅନା। ମୋ କମାଲ ଦେଖ। ଏହା କହି ସେ ଯେମିତି ବିପଦ ବେଳେ ଈଶ୍ବରଙ୍କୁ ପ୍ରାର୍ଥନା କରେ, ସେମିତି କଲା। କିନ୍ତୁ କୌଣସି ସାହାଯ୍ୟ ଆସିଲା ନାହିଁ। ସେ ବାରମ୍ବାର ବିଫଳ ହେଲା। ଏବେ ତା’ର ବୁଦ୍ଧି ହଜିଗଲା।
ଏଇ ସମୟରେ ତା’ ମନରେ ଜେଜେବାପାଙ୍କ କଥା ଝଲସିଗଲା। ସେ ଏବେ ବୁଝିପାରିଲା ଯେ ସବୁଥର ଏକୁଟିଆ ଥିବାରୁ ସେ ଐକାନ୍ତିକ ଭାବେ ଭଗବାନଙ୍କୁ ଡାକୁଥିଲା ଏବ˚ ଭଗବାନଙ୍କ ସାହାଯ୍ୟ ଲାଗି କୃତଜ୍ଞତା ଜଣାଉଥିଲା। କିନ୍ତୁ ସାଙ୍ଗରେ ସହଯାତ୍ରୀ ଥିବାରୁ ତା’ ଆଗରେ ବାହାଦୁରି ଦେଖାଇବାକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା କରିଛି, ସତେ ଯେମିତି ଭଗବାନ ତା’ର ଆଜ୍ଞାଧୀନ। ତେଣୁ ଏଭଳି ଘଟିଲା।
ସେ ଏବେ ବିକଳ ହୋଇ ପାଣି ଲାଗି ପ୍ରାର୍ଥନା କଲା। କିଛି ସମୟ ପରେ ଯାହା ସଦା ବେଳେ ଘଟେ ତାହା ଘଟିଲା।

ସମ୍ବନ୍ଧିତ ଖବର