ବୁଦ୍ଧଙ୍କ ଉପଦେଶ

କଥାଟିଏ-ଯାଯାବର

କୋଶଳର ରାଜା ଥିଲେ ବେଶ୍‌ ପରାକ୍ରମଶାଳୀ। ପଡ଼ୋଶୀ ମଗଧର ପ୍ରତିପତ୍ତି କ୍ରମେ ବଢୁଥିବାର ଦେଖି କୋଶଳ ରାଜା ସହିପାରିଲେ ନାହିଁ। ତାଙ୍କ ପାଖରେ କିଛି ଅଭାବ ନ ଥିଲା। କିନ୍ତୁ ମଗଧର ଉନ୍ନତି ତାଙ୍କୁ କଣ୍ଟା ଭଳି ଫୋଡ଼ି ହେଲା। ସେ ସମ୍ଭାଳି ନ ପାରି ମଗଧ ଆକ୍ରମଣ କଲେ ଓ ପରାଜିତ ହେଲେ। ଥରେ ନୁହେଁ ତିନି ତିନି ଥର ମଗଧ ଆକ୍ରମଣ କଲା ପରେ ସେ ଯେତେବେଳେ ପରାଜିତ ହେଲେ, ନୈରାଶ୍ୟ ଜର୍ଜରିତ ହୋଇ ସେ କିଛି ନ ଖାଇ ନ ପିଇ ବିଛଣାରେ ପଡ଼ି ରହିଲେ। ଚାରି ପଟରୁ ତାଙ୍କୁ କେବଳ ହତାଶା ଘେରିଗଲା।
ଏଇ ସମୟରେ ବୁଦ୍ଧ କୋଶଳ ଦେଇ ଯାଉଥିଲେ। ସେ ଆସୁଥିବା ଜାଣି ତାଙ୍କୁ କୋଶଳ ରାଜାଙ୍କ ପାଖକୁ ନିଆଗଲା। କାରୁଣିକ ବୁଦ୍ଧ ସବୁ ଶୁଣିଲେ ଏବ˚ ଧୀର ଭାବେ କହିଲେ- ରାଜା, ତୁମେ ହାରିଛ ବୋଲି ଯେମିତି ଶୋଇପାରୁନାହଁ, ସେମିତି ଜିତିଥିଲେ ବି କ’ଣ ଶୋଇପାରନ୍ତ। ଅତ୍ୟନ୍ତ ଆନନ୍ଦ ବି ଏକ ଉତ୍ତେଜିତ ଅବସ୍ଥା। ସେ ଅବସ୍ଥାରେ ବି ଶାନ୍ତି ମିଳେନାହିଁ। ଯଦି ବା ଜିତି ଥାଆନ୍ତ, ଜଣେ ନୂଆ ଶତ୍ରୁ ତିଆରି କରିଥାଆନ୍ତ। ତା’ର ମୁକାବିଲା ଏକ ନୂଆ ଆହ୍ବାନ ହୋଇଥାଆନ୍ତା। ସର୍ବଦା ଭୟ ଓ ଆଶଙ୍କା ମନରେ ରହିଥାଆନ୍ତା। ତେଣୁ ନ ଜିତିଛ ଭଲ ହୋଇଛି।
ରାଜା କହିଲେ- ଜିିତିବା କଥା କାହିଁକି ପଡ଼ିଛି? ମୁଁ ଯେ ହାରିଯାଇଛି, ତାହା ଦୁଃଖର କାରଣ।
ବୁଦ୍ଧ କହିଲେ- ହାରି ଯାଇଛ ସିନା କିଛି ହରାଇ ନାହଁ। ଯାହା ପୂର୍ବରୁ ଥିଲା ଏବେ ବି ସ୍ଥିତି ସେୟା ଅଛି। ତେଣୁ ଦୁଃଖ କାହିଁକି? ତୁମର ଦୁଃଖର କାରଣ ଅସଲରେ ହେଲା ତୁମ ଅହ˚କୁ ଆଘାତ ଲାଗିବା। କିନ୍ତୁ ସତ କଥାଟି ହେଲା, ଅହ˚କୁ ଧରି ରଖିବାକୁ ଚାହଁ ନା ଶାନ୍ତିକୁ ଧରିବାକୁ ଚାହଁ। ସେ ନିଷ୍ପତ୍ତି ତୁମେ ଆଜି ନିଅ।
କୋଶଳ ରାଜା ଉଠି ବସିଲେ। ତାଙ୍କୁ ଲାଗିଲା ତାଙ୍କ ଲାଗି ଏକ ନୂଆ ଚିନ୍ତାର ମାର୍ଗ ଉନ୍ମୋଚିତ ହୋଇଗଲା।

ସମ୍ବନ୍ଧିତ ଖବର