ଶିକ୍ଷକ ପଚାରିଲେ ପୃଥିବୀର ସର୍ବପ୍ରଥମ ରାଜଚକ୍ରବର୍ତ୍ତୀ କିଏ?
ବିଚକ୍ଷଣ ପିଲାଟିଏ କହିଲା- ଦିଗ୍ବିଜୟୀ ଆଲେକଜାଣ୍ଡର, ଖ୍ରୀଷ୍ଟପୂର୍ବ ୩୨୬।
ଶିକ୍ଷକ କହିଲେ- ଭୁଲ୍ କହିଲ। ତାଙ୍କ ଠାରୁ ଦେଢ଼ ଶହ ବର୍ଷ ଆଗରୁ ଜଣେ ରାଜଚକ୍ରବର୍ତ୍ତୀ ଆବିର୍ଭୂତ ହୋଇଥିଲେ। ତାହାଙ୍କ ନାମ ଥିଲା ଗୌତମ ବୁଦ୍ଧ।
ପିଲାଟି କହିଲା- ସାର୍, ଗୌତମ ବୁଦ୍ଧ ପରା ରାଜ୍ୟ ଓ ଧନସଂପତ୍ତି ସବୁ ଛାଡ଼ି ଶେଷରେ ଭିକ୍ଷୁରେ ପରିଣତ ହୋଇଥିଲେ? ସେ କିପରି ରାଜଚକ୍ରବର୍ତ୍ତୀ ହେଲେ?
ଶିକ୍ଷକ କହିଲେ- ବୁଝାଇ ଦେଉଛି। ଆଲେକଜାଣ୍ଡର ଯେତେବେଳେ ଦିଗବିଜୟ କରିବା ଲାଗି ବାହାରିଲେ, ସେତିକି ବେଳେ ଦାର୍ଶନିକ ଡିଓଜିନସ ତାଙ୍କୁ କହିଲେ- ଏତେ ଥାଇ ବି ଆହୁରି ଲୋଭ? ତୁମେ ରାଜା ନା ଭିକାରି? କିନ୍ତୁ ଗୌତମ ବୁଦ୍ଧ ଯେତେବେଳେ ଭିକ୍ଷା ମାଗୁଥିଲେ ଶ୍ରାବସ୍ତିରେ ଲୋକେ କହୁଥିଲେ- ଦେଖ ଏହାଙ୍କୁ! ରାଜପଦ ଓ ସଂପତ୍ତିକୁ ପାଦରେ ଏଡ଼ାଇ ଚାଲି ଆସିଛନ୍ତି। ଏହାଙ୍କ ଠାରୁ ଭଳି ଧନୀ ଆଉ କିଏ ହେବ? ଏହାଙ୍କୁ ସାଧାରଣ ଭିକ୍ଷୁକ ବୋଲି ମନେ କରନାହିଁ।
ଆଲେକଜାଣ୍ଡର ଦିଗବିଜୟ ସାରି ଫେରିଲେ। କିନ୍ତୁ କୁହ ତ ପୃଥିବୀର କେତେ ଅଂଶ ସେ ଜୟ କରି ପାରିଥିଲେ? ଆଉ ବୁଦ୍ଧଙ୍କୁ େଦଖ। ତାଙ୍କ ଦର୍ଶନ ସାରା ବିଶ୍ବରେ ବ୍ୟାପି ଗଲା। ଏକ ଧର୍ମରେ ପରିଣତ ହେଲା। ସମଗ୍ର ବିଶ୍ବ ତାଙ୍କର ଅଧୀନ ହୋଇଗଲା। ଗୌତମ ବୁଦ୍ଧ ଜନ୍ମ ହେବା ବେଳକୁ ଭବିଷ୍ୟତ୍ ବାଣୀ ହୋଇଥିଲା ଯେ ସେ ରାଜଚକ୍ରବର୍ତ୍ତୀ ହେବେ। ସେ ପ୍ରକୃତରେ ରାଜଚକ୍ରବର୍ତ୍ତୀ ହିଁ ହେଲେ। ବଡ଼ ବଡ଼ ରାଜାମାନେ ତାଙ୍କ ଧର୍ମର ଶରଣ ନେଲେ। ଏବେ ବୁଝିଲ ତ?
କିଏ ରାଜଚକ୍ରବର୍ତ୍ତୀ?
କଥାଟିଏ-ଯାଯାବର