ଜଣେ ଦାନୀ ରାଜା ଥିଲେ। ସେ ଅକାତରେ ଦାନ କରୁଥିଲେ। ସମ‌ସ୍ତେ ତାଙ୍କ ଜୟ ଗାନ କରୁଥିଲେ।
ଥରେ ରାଜଧାନୀରେ ବୁଲା‌ବୁଲି କଲା ବେଳେ ରାଜା ଦେଖିଲେ ଯେ ନଈ କୂଳରେ ବସିଛନ୍ତି ଜଣେ ସାଧୁ। ରାଜା ତାଙ୍କ ନିକଟକୁ ଯାଇ ପ୍ରଣାମ କଲେ ଏବଂ ସ୍ବଭାବ ମୁତାବକ ମନ୍ତ୍ରୀଙ୍କୁ କହିଲେ- ମୋତେ ଶହେ ସୁବର୍ଣ୍ଣ ମୁଦ୍ରା ଦିଅନ୍ତୁ। ମୁଁ ଏହି ମହାଶୟଙ୍କୁ ଦାନ ଭାବେ ଦେବି।
ମନ୍ତ୍ରୀ ସାଙ୍ଗେସାଙ୍ଗେ ଗୋଟିଏ ମୁଣିରେ ମୁଦ୍ରାତକ ଭରି ରାଜାଙ୍କ ହାତକୁ ଦେଲେ। ରାଜା ସେତକ ସାଧୁଙ୍କୁ ଦେଲା ବେଳେ ସାଧୁ ପଚାରିଲେ- ମଣିମା, ପୂରା ଦେଇଛନ୍ତି ନା ଅଧା?
ରାଜା ଏଭଳି ବିଚିତ୍ର ପ୍ରଶ୍ନ ପୂର୍ବରୁ କେବେ ଶୁଣି ନ ଥିଲେ। ସେ କହିଲେ- ଦାନରେ ପୂରା କ’ଣ ପୁଣି ଅଧା କ’ଣ? ଦାନ ମାନେ ପୂରା ଦାନ। ମୁଁ ଯାହାକୁ ଯାହା ଦିଏ ପୂରା ହିଁ ଦିଏ।
ସାଧୁ କହିଲେ- ଭଲ କଥା।
ତା’ ପରେ ସେ ମୁଣିଟିକୁ ରାଜାଙ୍କ ହାତରୁ ନେଇ ନଈ ଭିତରକୁ ଫିଙ୍ଗି ଦେଲେ।
ରାଜାଙ୍କ ମୁହଁ ଲାଲ ପଡ଼ିଗଲା। ତାଙ୍କ ଦାନର ଏଭଳି ଅବମାନନା ତାଙ୍କୁ ବାଧିଗଲା। ସେ ରାଗରେ କହିଲେ- ଏ କ’ଣ? ଆପଣଙ୍କ ଏଭଳି ସାହସ ହେଲା କେମିତି?
ସାଧୁ କହିଲେ- ମଣିମା ସାହସର ପ୍ରଶ୍ନ ଆସିଲା କେଉଁଠୁ? ମୁଁ ଆପଣଙ୍କୁ ପଚାରୁଥିଲି ଯେ ପୂରା ଦେଇଛନ୍ତି ନା ଅଧା? ଆପଣ ପୂରା ଦେଇଥିବାରୁ ଏହା ମୋର ଦ୍ରବ୍ୟ ହୋଇଗଲା। ଆପଣଙ୍କ ମାଲିକାନା ଏହା ଉପରେ ରହିଲା ନାହିଁ। ମୋ ଦ୍ରବ୍ୟକୁ ମୁଁ ‌େକମିତି ବ୍ୟବହାର କରିବି, ତାହା ମୋର ଇଚ୍ଛାଧୀନ।
ରାଜାଙ୍କ ଚୈତନ୍ୟ ଉଦୟ ହେଲା। ସେ ବୁଝିଲେ ଯେ ଏ ଯାବତ୍‌ ସେ ଯାହା ବି ଦାନ କରିଛନ୍ତି, ସବୁ ଅଧା ଦାନରେ ଯିବ। ଦାନୀ ରୂପେ ସେ କେବଳ ମିଛ ପ୍ରଶଂସା‌ ପାଉଛନ୍ତି ଯାହା!