ପାରସ୍ୟ ଦେଶର ପୁରୁଣା କାହାଣୀଟିଏ।
ଜଣେ ଫକିରଙ୍କ ବିଷୟରେ ସେତେବେଳେ ଖୁବ୍ ଚର୍ଚ୍ଚା ହେବାକୁ ଲାଗିଲା। କଥା ହେଲା, ଫକିର ଭିକ୍ଷା ମାଗି ବୁଲୁଥିଲେ। କିନ୍ତୁ ଭିକ୍ଷା ନେବା ଆଗରୁ ସେ ଗୋଟିଏ ସର୍ତ୍ତ ରଖୁଥିଲେ। ସର୍ତ୍ତଟି ହେଲା, ଦାତା ଯେମିତି ଭିକ୍ଷା ଦେଇ ତାଙ୍କ ଭିକ୍ଷା ଥାଳଟିକୁ ପରିପୂର୍ଣ୍ଣ କରିବେ। ଅଧା ଭରା ଭିକ୍ଷା ଥାଳ ସେ ଗ୍ରହଣ କରିବେ ନାହିଁ। କିନ୍ତୁ ବିସ୍ମୟକର କଥା ହେଲା, ରାଜା ମହାରାଜାମାନଙ୍କ ରାଜକୋଷ ଶୂନ୍ୟ ହୋଇ ଯାଉଥିଲା, ଅଥଚ ଭିକ୍ଷା ଥାଳ ଭରୁ ନ ଥିଲା। ତେଣୁ ଫକିର ଆସିବା କଥା ଶୁଣିବା ମାତ୍ରକେ ଧନିକ ଓ ରାଜା ମହାରାଜାମାନେ ଲୁଚୁଥିଲେ।
ଏମିତି ଏକ ସମୟରେ, ଖବର ମିଳିଲା, ଫକିର ପହଞ୍ଚିଛନ୍ତି ପାରସ୍ୟରେ। ପାରସ୍ୟ ରାଜାଙ୍କ ଦରବାରରେ ପହଞ୍ଚି ସେ କହିଲେ- ମୋର ଭିକ୍ଷା ଦରକାର।
ପାରସ୍ୟର ରାଜା ଥିଲେ ଅତ୍ୟନ୍ତ ବୁଦ୍ଧିମାନ। ସେ କହିଲେ- ଦେବି। କ’ଣ ମାଗୁଛନ୍ତି କହନ୍ତୁ।
ଫକିର କହିଲେ- ମହାରାଜା ଭଲ ଭାବେ ଚିନ୍ତା କରନ୍ତୁ। କାରଣ ମୋର ସର୍ତ୍ତ ହେଲା ଅଧା ଭରା ଭିକ୍ଷା ଥାଳ ମୁଁ ଗ୍ରହଣ କରେନାହିଁ। ଆପଣ ଯାହା ଭିକ୍ଷା ଦେଲେ ଚଳିବ, କିନ୍ତୁ ଭିକ୍ଷା ପାତ୍ର ଭରିବା ଦରକାର।
ମହାରାଜା କହିଲେ- ଆପଣଙ୍କ ଭିକ୍ଷା ପାତ୍ରଟି ଛୋଟ। ତେଣୁ ଶସ୍ୟ ଦ୍ବାରା ନୁହେଁ, ମୂଲ୍ୟବାନ ପଥର ଦ୍ବାରା ତାହା ଭରିଦେବାକୁ ମୁଁ ସମର୍ଥ। କିନ୍ତୁ ମୁଁ ସେଭଳି କରିବି ନାହିଁ।
ଫକିର ଭ୍ରୂକୁ˚ଚନ କରି ପଚାରିଲେ- କାହିଁକି?
ରାଜା କହିଲେ- ଆପଣଙ୍କ ଭିକ୍ଷା ପାତ୍ରଟି ଦେଖି ମୁଁ ଜାଣି ପାରୁଛି ଆପଣ ତାହା ତିଆରି କରିଛନ୍ତି ମଣିଷର ଖପୁରିରୁ! ସତ ନା?
ଫକିର ଅଳ୍ପ ହସି କହିଲେ- ହଁ।
ରାଜା କହିଲେ- କୌଣସି ମଣିଷ କେବେ ବି ପୂର୍ଣ୍ଣ ମାତ୍ରାରେ ତୃପ୍ତ ହୁଏନାହିଁ। ତାର ମନରେ ସର୍ବଦା ଅପ୍ରାପ୍ତିବୋଧ ରହିଥାଏ। ତେଣୁ ମଣିଷର ଖପୁରିରେ ତିଆରି ଭକ୍ଷା ପାତ୍ର କଦାପି ପୂର୍ଣ୍ଣ ହେବ ନାହିଁ।
ଫକିର ସେଠାରୁ କିଛି ନ ନେଇ ନିଷ୍କ୍ରାନ୍ତ ହେଲେ ଏବଂ କହିଗଲେ- ଆପଣ ଠିକ୍ ବୁଝିଛନ୍ତି!
ଫକିର ଓ ପାରସ୍ୟର ରାଜା
କଥାଟିଏ-ଯାଯାବର