ଠେକୁଆ କଇଁଛ ଦୌଡ଼

କଥାଟିଏ-ଯାଯାବର

ଠେକୁଆ ଓ କଇଁଛଙ୍କ ଦୌଡ଼ ପ୍ରତିଯୋଗିତାରେ ଠେକୁଆ ହାରିଯିବା ପରେ ତା’ ଭାଇ ବିରାଦରି ତାକୁ ବହୁତ ନିନ୍ଦିଲେ। ତେଣୁ ସେ କଇଁଛକୁ ଆଉ ଥରେ ପ୍ରତିଯୋଗିତା କରିବାକୁ ଡାକିଲା। କଇଁଛ ରାଜି ହେଲା। ଏଥର ଠେକୁଆ ଆଉ ବାଟରେ ଶୋଇ ପଡ଼ିଲା ନାହିଁ, ସିଧା ଯାଇ ଶେଷ ମୁଣ୍ତରେ ପହଞ୍ଚି କଇଁଛକୁ ଅପେକ୍ଷା କଲା। ଠେକୁଆ ଜିତିଲା ବୋଲି ଖବରକାଗଜରେ ଖବର ବାହାରିଗଲା।
ଏବେ କଇଁଛର ବିରାଦରି ତାକୁ ନିନ୍ଦିଲେ। ସେମାନେ କହିଲେ ଆମେ ଠେକୁଆଙ୍କୁ ଦୌଡ଼ରେ ହରାଇଥିଲୁ ବୋଲି ଆମର ସୁନାମ ଯୁଗ ଯୁଗ ଧରି ଥିଲା। ତୁ ତାହା ମାଟିରେ ମିଶାଇ ଦେଲୁ। ଏହା ଶୁଣି କଇଁଛର ମନ ଖରାପ ହେଲା ଏବ˚ ସେ ଠେକୁଆକୁ ଆଉ ଥରେ ପ୍ରତିଯୋଗିତା କରିବାକୁ ଡାକିଲା। ଏଥର କେଉଁ ବାଟେ ସେମାନେ ଦୌଡ଼ିବେ ସେ ବାଟ ବାଛିଲା କଇଁଛ। ପୁଣି ଦଉଡ଼ା ଆରମ୍ଭ ହେଲା। ଠେକୁଆ ଆଗେ ଆଗେ ଦଉଡ଼ି ଶେଷରେ ଯେଉଁଠି ପହଞ୍ଚିଲା ତା’ର ଅକଲ ଗୁଡୁମ୍‌ ହୋଇଗଲା। କାରଣ ତାହା ଥିଲା ଏକ ନଈ। ସେ ନଈ ପାର ହେବ କେମିତି? ଏଣେ କଇଁଛ ହଲି ହଲି ଆସି କିଛି ସମୟ ପରେ ପହଞ୍ଚିଗଲା ଏବ˚ ନଈ ପାର ହେବା ଲାଗି ଓହ୍ଲାଇଲା।
ଏତିକି ବେଳେ ଠେକୁଆ ମୁଣ୍ତକୁ ବୁଦ୍ଧି ଜୁଟିଲା। ସେ କହିଲା- କଇଁଛ ଭାଇ, ଆମେମାନେ ପରସ୍ପରକୁ ମାତ୍‌ ଦେବା ଲାଗି ଅଯଥା ପରିଶ୍ରମ କରୁଛେ। କଳେ ବଳେ କଉଶଳେ ପରସ୍ପରକୁ ହରାଇବାକୁ ଚାହୁଁଛେ। କିନ୍ତୁ ଏ ଅଯଥା ପ୍ରତିଯୋଗିତା କାହିଁକି? ଏବେ ଠାରୁ ନୂଆ ପ୍ରକାର ଖେଳ ହେବ। ମୁଁ ତୁମ ପିଠିରେ ବସି ନଈ ପାର ହେବି, ନଈ ପାର ହେବା ପରେ ବାକି ରାସ୍ତା ତୁମେ ମୋ ପିଠିରେ ବସି ଚାଲିବ। ନିଜ ନିଜର ଶକ୍ତିକୁ ଆମେ ପରସ୍ପରର ସାହାଯ୍ୟ ସହଯୋଗରେ ଖର୍ଚ୍ଚ କଲେ ଆମେ ଉଭୟେ ବିଜୟୀ ହେବା।
କଇଁଛ ମନକୁ ବି କଥା ପାଇଗଲା। ସେମିତି ହେଲା। ଏବେ ଠେକୁଆ ଓ କଇଁଛ ଉଭୟେ ଏକା ସାଙ୍ଗରେ ଜିତି ଟ୍ରଫି ପାଇଲେ। ଦୁହେଁ ହେଲେ ବିଜେତା।

ସମ୍ବନ୍ଧିତ ଖବର