ବାପାଙ୍କ ମୃତ୍ୟୁର କିଛି ଦିନ ପରେ ପୁଅ ମା’ଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ିଦେଇ ଆସିଲା। ତା’ ପରେ ମଝିରେ ମଝିରେ ଯାଇ ମା’ଙ୍କୁ ଦେଖି ଆସୁଥାଏ। ଦିନେ ବୃଦ୍ଧାଶ୍ରମରୁ ପୁଅ ପାଖକୁ ଫୋନ୍ ଆସିଲା ଯେ ମା’ ଶେଷ ଶଯ୍ୟାରେ। ତେଣୁ ସେ ଆସି ଦେଖି ଯାଆନ୍ତୁ। ପୁଅ ନିଜ ବ୍ୟବସାୟରୁ ଫୁରୁସତ ପାଉ ନ ଥିଲା। ତଥାପି ମା’ଙ୍କ ଶେଷ ସମୟ ଜାଣି ଦେଖିବାକୁ ଗଲା।
ସେତେବେଳକୁ ମା’ଙ୍କ ଅନ୍ତିିମ ସମୟ ଉପନୀତ। ପୁଅ ମା’ଙ୍କ ଶଯ୍ୟା ପାଖରେ ବସିପଡ଼ି ପଚାରିଲା- ମା’ କିଛି ଶେଷ କଥା ଯଦି କହିବାକୁ ଚାହୁଁଥାଅ, କହିଦିଅ।
ମା’ ଆଖି ଖୋଲିଲେ ଏବ˚ କ୍ଷୀଣ କଣ୍ଠରେ କହିଲେ- ପୁଅ, ଯଦି ପାରିବୁ ଏଇ ଅନାଥାଶ୍ରମରେ କିଛି ପଙ୍ଖା ଲଗାଇଦେବୁ। ବିନା ପଙ୍ଖାରେ ଖରା ଦିନେ ଏହା ନର୍କ ଭଳି ହୋଇଯାଏ, ଜୀବନ ଦୁର୍ବିଷହ ହୋଇଯାଏ। ଦ୍ବିତୀୟରେ ଯଦି ପାରିବୁ ଗୋଟିଏ ଫ୍ରିଜ୍ର ବ୍ୟବସ୍ଥା କରିଦେବୁ। କାରଣ ଫ୍ରିଜ୍ଟିଏ ନ ଥିବା ହେତୁ ଖାଦ୍ୟ ଖରାପ ହୋଇଯାଏ। ତେଣୁ ଆମେମାନେ ଅନେକ ଦିନ ଭୋକରେ ରହୁ।
ପୁଅ ମା’ଙ୍କ ହାତ ଧରି ପକାଇ କହିଲା- ମା’ ଏତେ ଅସୁବିଧାରେ ରହୁଥିଲ, ମୋତେ ଆଗରୁ କାହିଁକି କହୁ ନ ଥିଲ? ଏବେ ଯେତେବେଳେ ତୁମର ଶେଷ କ୍ଷଣ ଉପସ୍ଥିତ, ସେତିକି ବେଳେ ମୋତେ କହୁଛ?
ମା’ ଏହା ଶୁଣି କହିଲେ- ପୁଅ ଏ ସବୁ ମୁଁ ବିନା ଦ୍ବିଧାରେ ସହିଯାଇଥାଆନ୍ତି, କିଛି କହି ନ ଥାଆନ୍ତି। କିନ୍ତୁ ମନରେ ଆସିଲା ଆଉ କିଛି ବର୍ଷ ପରେ ତୋ ପିଲାମାନେ ହୁଏତ ତୋତେ ଏଠାକୁ ପଠାଇ ଦେଇପାରନ୍ତି। ତେବେ, ସେଇ ସ୍ଥିତିରେ ତୁ କେମିତି ଚଳିବୁ? ତୁ ସତରେ କେତେ ହଇରାଣ ନ ହେବୁ?
ଏହା ପରେ ପୁଅ ଆଉ କିଛି କହିବା ଆଗରୁ ମା’ ସବୁ ଦିନ ଲାଗି ଆଖି ମୁଦି ଦେଇଥିଲେ।
ମା’ଙ୍କ ଶେଷ ଇଚ୍ଛା
କଥାଟିଏ-ଯାଯାବର