ଜଣେ ଯୁବ ସନ୍ନ୍ୟାସୀ ଅଭୀଷ୍ଟ ସାଧନ ଲାଗି ତପସ୍ୟାରେ ବସିଲେ। ଅନେକ ଦିନ ବିତି ଗଲା ପରେ ଯେତେବେଳେ ସେ ଦେଖିଲେ ଯେ ସିଦ୍ଧି ଲାଭର କୌଣସି ସଂକେତ ଦିଶୁ ନାହିଁ, ସେତେବେଳେ ସେ ସାଧନାରୁ ଅବ୍ୟା‌ହତି ନେଲେ, କିନ୍ତୁ ଅସଫଳ ହୋଇଥିବା ହେତୁ ବିଷଣ୍ଣ ହୋଇ ରହିଲେ।
କିଛି ଦିନ ପରେ ଜଣେ ଗୁରୁଙ୍କ ନିକଟକୁ ଯାଇ ନିଜ କାହାଣୀ ଶୁଣାଇଲେ।
ଗୁରୁ ଟିକିଏ ସମୟ ଆଖି ବୁଜି ବସିବା ପରେ କହିଲେ- ମୁଁ ଯାହା ଦେଖୁଛି, ତାହା ଜାଣିଲେ ତୁମେ ଆହୁରି ଦୁଃଖିତ ହୋଇଯିବ। କାରଣ ତୁମ ତପସ୍ୟା‌ ପୂର୍ଣ୍ଣ ହେବା ଲାଗି ସମୁଦାୟ ଏକ ଲକ୍ଷ ଶ୍ବାସର ଆବଶ୍ୟକତା ଥିଲା। ତୁମେ ଅନେଶ୍ବତ ହଜାର ନଅ ଶହ ବାରଟି ଶ୍ବାସ ନେବା ପରେ ସାଧନା ଛାଡ଼ି ଦେଲ। ତେଣୁ ସିଦ୍ଧି ଓ ତୁମ ଭିତରେ ଆଉ ମାତ୍ର ଅଠାଅଶୀଟି ଶ୍ବାସର ଅନ୍ତର ରହିଗଲା!
ଯୁବ ସନ୍ନ୍ୟାସୀ ଏଥର ଭୀଷଣ କରୁଣ ଦିଶିଲେ। ସେ କହିଲେ- ମୁଁ ବା ଜାଣନ୍ତି କିଭଳି ଯେ ଏତେ ପଥ ଅତିକ୍ରମ କରି ଆସିଲିଣି, ଆଉ ମାତ୍ର ଅଳ୍ପ ବାକି ଅଛି? ମୁଁ ଭାବିଲି ଯେ ସଫଳତା ମିଳିବ ନାହିଁ! ଏମିତି ବି ହୋଇପାରେ ଯେ ଦିନ ପରେ ଦିନ ବସିଥିବା ସତ୍ତ୍ବେ ସିଦ୍ଧି ମିଳନ୍ତା ନାହିଁ। ଜଣେ ତାହା ଜାଣିବ କିପରି?
ଗୁରୁ କହିଲେ- ଏବେ ସିଦ୍ଧି ମିଳିଲା କି? ଏବେ ବି ତ ସିଦ୍ଧି ମିଳିନାହିଁ!
ଯୁବକ ପଚାରିଲା- ତାହା ହେଲେ ସାଧକ କ’ଣ କରିବ?
ଗୁରୁ କହିଲେ- ସିଦ୍ଧି ପାଇବା ଲାଗି କେବଳ ଗୋଟିଏ ବାଟ ଅଛି। ସିଦ୍ଧି ମିଳିବା ଯାଏ ସାଧନା କରିବ। କାରଣ ଯେଉଁଠି ଅଧାରୁ ଛାଡ଼ିବ, ସେଠାରୁ ହୁଏତ ଅଳ୍ପ ଦୂରରେ ସିଦ୍ଧି ଅପେକ୍ଷା କରିଥିବ! ତେଣୁ ସାଧକ ଲାଗି ସଫଳତା ବା ବିଫଳତାର ପ୍ରଶ୍ନ ନ ଥାଏ। କେବଳ ଗୋଟିଏ ଲକ୍ଷ୍ୟ ଥାଏ, ତାହା ହେଲା ସିଦ୍ଧି ହାସଲ କରିବା ଛଡ଼ା ଆଉ ଅନ୍ୟ ବାଟ ନାହିଁ।