ଗୋଟିଏ ଛୋଟ ସହରକୁ ଆସିଲେ ଜଣେ ତରୁଣ ଡାକ୍ତର। ତାଙ୍କର ଇଚ୍ଛା ଥିଲା ଗୋଟିଏ କ୍ଲିନିକ୍ ଖୋଲିବେ। କିନ୍ତୁ ତାଙ୍କ କିଛି ପରିଚିତ ଲୋକ କହିଲେ- ବରଂ ତୁମେ ଚାକିରିଟିଏ କର। କ୍ଲିନିକ୍ ଖୋଲ ନାହିଁ। କାରଣ ଏଠାରେ ଦୁଇ ଜଣ ପ୍ରସିଦ୍ଧ ଡାକ୍ତରଙ୍କ କ୍ଲିନିକ୍ ଅଛି। ତୁମ କ୍ଲିନିକକୁ ରୋଗୀ ଆସିବେ ନାହିଁ।
ତରୁଣ ଡାକ୍ତର ମନା କଲେ। ସେ କହିଲେ- ମୁଁ କ୍ଲିନିକ୍ ଖୋଲିବି। ସାଧାରଣ ରୋଗୀଙ୍କୁ କମ୍ ଫିସ୍ରେ ଦେଖିବି।
ତାଙ୍କର ବନ୍ଧୁ କହିଲେ- ଏଠି କ୍ଲିନିକ୍ ଖୋଲିଥିବା ଦୁଇ ପୁରୁଣା ଡାକ୍ତର ମଧ୍ୟ କମ୍ ପଇସାରେ ରୋଗୀ ଦେଖନ୍ତି। ଦେଖ, ତୁମର ଯାହା ଇଚ୍ଛା।
ଯାହା ହେଉ ଡାକ୍ତର ଜଣକ କ୍ଲିନିକ୍ ଖୋଲିଲେ। କିଛି ଦିନ ପରେ ତାଙ୍କ ପାଖକୁ ଆସୁଥିବା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲା। ତାଙ୍କର ଖ୍ୟାତି ମଧ୍ୟ ବଢ଼ିଲା। ଏହା ଦେଖି ଦିନେ ବନ୍ଧୁ ତାଙ୍କୁ ପଚାରିଲେ- ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ତୁମେ ଅନ୍ୟ ଦୁଇ ଡାକ୍ତରଙ୍କ ସହିତ ସମକକ୍ଷ ନୁହେଁ। ତଥାପି ତୁମେ ଅଳ୍ପ ଦିନ ଭିତରେ ଖୁବ୍ ସୁନାମ ଅର୍ଜିଲଣି। ଏହା କେମିତି ସମ୍ଭବ ହେଲା?
ଯୁବ ଡାକ୍ତର କହିଲେ- ମୋର ଉପାୟ ସରଳ। ମୁଁ କେବଳ ଗୋଟିଏ ବାଟ ଧରିଲି ଯେ ରୋଗୀମାନଙ୍କୁ ଧୈର୍ଯ୍ୟର ସହିତ ଶୁଣିବି। କ୍ରମେ ସେମାନେ ରୋଗର ଲକ୍ଷଣ ସହିତ ସେମାନଙ୍କ ବ୍ୟକ୍ତିଗତ ଓ ପାରିବାରିକ ଦୁଃଖ ଓ ସମସ୍ୟା ମଧ୍ୟ ମୋ ଆଗରେ କହିଲେ। ସଂବେଦନଶୀଳ ଶ୍ରୋତା କିଏ ନ ଚାହେଁ? ଏହା ଦ୍ବାରା ସେମାନଙ୍କ ସହିତ ବନ୍ଧୁତା ସୃଷ୍ଟି ହେବା ସହିତ ମୁଁ େସମାନଙ୍କ ବିଶ୍ବାସର ପାତ୍ର ହେଲି। ସେମାନଙ୍କ ଜୀବନ ବିଷୟରେ ଅନେକ କଥା ଜାଣିବା ଦ୍ବାରା ମୋ ଲାଗି ଚିକିତ୍ସା କରିବା ମଧ୍ୟ ସହଜ ହେଲା। କାରଣ ଶରୀର ଓ ମନ ତ ପରସ୍ପରର ନିର୍ଭରଶୀଳ।
ତା’ ପରେ ଡାକ୍ତର କହିଲେ- ହୁଏତ ଡାକ୍ତର ଭାବେ ମୁଁ ଅତି ସାଧାରଣ। କିନ୍ତୁ କେବଳ ଏଇ ଗୋଟିଏ କାରଣ ଲାଗି ରୋଗୀମାନେ ମୋତେ ଲୋଡୁଛନ୍ତି।
ଅନ୍ୟକୁ ଶୁଣିବା
କଥାଟିଏ-ଯାଯାବର