ପ୍ରସିଦ୍ଧ ଆମେରିକୀୟ ଇହୁଦୀ ମନୋବିଜ୍ଞାନୀ ଭିକ୍ଟର ଫ୍ରାଙ୍କେଲ ତା‌ଙ୍କ ଅନୁଭୂତିରୁ ଆଶାର ପ୍ରବଳ ଶକ୍ତି ବିଷୟରେ ଲେଖିଛନ୍ତି। ଅଷ୍ଟ୍ରିଆର ଭିଏନାରେ ଜନ୍ମ ଲାଭ କରିଥିବା ଫ୍ରାଙ୍କେଲ ତାଙ୍କ ପରିବାର ସହିତ ହିଟଲରର ଇହୁଦୀ ମେଧ ଯଜ୍ଞର ଶିକାର ହୋଇଥିଲେ। ଅସ୍ବିଜ୍‌ସ୍ଥିତ ମରଣ ଶିବିରରେ ସେ ଓ ଅନ୍ୟାନ୍ୟ ଶହଶହ ହତଭାଗ୍ୟ ଇହୁଦୀ ରହୁଥିଲେ। କ୍ଷୁଧା, ଅତ୍ୟାଚାର ଓ ପ୍ରବଳ ଥଣ୍ଡାର ପ୍ରାବଲ୍ୟ ଭିତରେ ସମସ୍ତେ କାଳାତିପାତ କରୁଥିଲେ ଏବଂ ହିଟଲର ଆଦେଶରେ ମୃତ୍ୟୁର ଅପେକ୍ଷାରେ ଥିଲେ। ଏଭଳି ସ୍ଥିତିରେ ଅନେକଙ୍କ ମୃତ୍ୟୁ ଘଟୁଥିଲା।
ହଠାତ୍‌ ଶିବିରରେ ଗୁଂଜରଣ ଖେଳିଗଲା ଯେ ଆସନ୍ତା ବଡ଼ ଦିନ ଉପଲକ୍ଷେ ହିଟଲର ସବୁ ବନ୍ଦୀମାନଙ୍କୁ ମୁକ୍ତ କରିଦେବ। ଆଶାର ଚମକରେ ମସସ୍ତଙ୍କ ଚକ୍ଷୁ ଉଜ୍ଜ୍ବଳ ହୋଇ ଉଠିଲା। ଫ୍ରାଙ୍କେଲ ଲେଖିଛନ୍ତି ରୋଗ, ଦୁର୍ବଳତା ଓ କ୍ଷୁଧା ସତ୍ତ୍ବେ ଶିବିରର ଅନ୍ତେବାସୀମାନେ ବଡ଼ଦିନକୁ ଅପେକ୍ଷା କରି ରହିଲେ। ଶିବିରରେ ଆଉ କାହାର ମୃତ୍ୟୁ ହେଲା ନାହିଁ। ଅବଶ ଲୋକେ ବି ଉଠି ବସିଲେ।
କିଛି ଦିନ ପରେ ବଡ଼ଦିନ ଆସିଲା ଏବଂ ଆସି ଚାଲିଗଲା। ବନ୍ଦୀଙ୍କୁ ମୁକ୍ତି ମିଳିଲା ନାହିଁ। ଜଣପଡ଼ିଲା ଯେ ତାହା କେବଳ ଥିଲା ଏକ ଗୁଜବ। ହିଟଲର ନିକଟରେ ସେମିତି କୌଣସି ଯୋଜନା ନ ଥିଲା।
ଫ୍ରାଙ୍କେଲ ଲେଖିଛନ୍ତି ଏହା ପରେ କିନ୍ତୁ ଶିବରର ଅନ୍ତେବାସୀମାନେ ଅନେକ ସଂଖ୍ୟାରେ ମରିବାକୁ ଲାଗିଲେ। ମନୋ‌ଚିକିତ୍ସକ ଫ୍ରାଙ୍କେଲ ବୁଝି ପାରୁଥିଲେ ଯେ କେବଳ ମୁକ୍ତିର ଆଶା ହିଁ ସେମାନଙ୍କୁ ବଞ୍ଚାଇ ରଖିଥିଲା। ଆଶା ତୁଟିଗଲା ତ ଜୀବନ ଆଉ ନିଜକୁ ଧରି ରଖି ପାରିଲା ନାହିଁ।