ଥରେ ମୁଲ୍ଲା ନସିରୁଦ୍ଦିନ ଓ ତାଙ୍କ ସାଙ୍ଗ ସମୁଦ୍ରରେ ଯାଉଥିଲେ। ସେମାନଙ୍କ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗିଗଲା। ସେଇ ଡଙ୍ଗାର ଭଙ୍ଗା କାଠ ଖଣ୍ତେ ଭାସି ଆସିଲା, ଯାହାକୁ ଜାବୁଡ଼ି ଧରି ମୁଲ୍ଲା ଓ ତାଙ୍କ ସାଙ୍ଗ ପାଣିରେ ଭାସି ରହିଲେ। ଏମିତି ଭାସୁଭାସୁ ସେମାନେ ଲାଗିଲେ ଗୋଟିଏ ଦ୍ବୀପରେ। ସେମାନଙ୍କ ଖୁସିର ସୀମା ରହିଲା ନାହିଁ। କିନ୍ତୁ ଅଳ୍ପ ସମୟ ପରେ ପୁଣି ବିରସତା ଘୋଟି ଆସିଲା। କାରଣ ସେମାନଙ୍କ ପାଖରେ କିଛି ସମ୍ବଳ ନ ଥିଲା। ସେ ଦ୍ବୀପଟି ବିଷୟରେ ସେମାନଙ୍କର କିଛି ଧାରଣା ନ ଥିଲା। ସେମାନେ ଭାରି କଷ୍ଟରେ ଦିନ କାଟିଲେ। ଭାଗ୍ୟକୁ ଆଦରି ରହିବା ଛଡ଼ା ଗତ୍ୟନ୍ତର ନ ଥିଲା। ଦୁଇ ଜଣ ଯାକ ସେଇ ଦ୍ବୀପରେ ଜଙ୍ଗଲୀ ଜନ୍ତୁଙ୍କ ଭଳି ହୋଇ ରହିଲେ। କିନ୍ତୁ ମୁଲ୍ଲାଙ୍କ ବନ୍ଧୁ ଏଇ ଅବସ୍ଥାରେ ପାଗଳ ଭଳି ହୋଇଯାଉଥିବା ବେଳେ ମୁଲ୍ଲା ଅବିଚଳିତ ଥିଲେ।
ଯାହା ହେଉ ଦିନେ ସେମାନଙ୍କୁ ଉଦ୍ଧାର କରାଗଲା। ଏହାର କିଛି ଦିନ ପରେ ମୁଲ୍ଲାଙ୍କ ବନ୍ଧୁ ତାଙ୍କୁ ସେ ବାବଦରେ ପଚାରିଲେ।
ମୁଲ୍ଲା କହିଲେ- ଦେଖ, ଆମ ଡଙ୍ଗା ବୁଡ଼ିଗଲା ପରେ କାଠ ପଟାଟି ଆମକୁ ମିଳିଲା। ପୁଣି ତା’ ପରେ ଆମକୁ ଦ୍ବୀପର କୂଳ ମିଳିଲା। ଆମେ ତା’ ଭିତରେ ଏତେ ଦିନ ବଞ୍ଚି ରହିଲେ। ଏହାର ଅର୍ଥ ଈଶ୍ବରଙ୍କ କୃପା ଥିଲା। ତେଣୁ ମୁଁ ବ୍ୟସ୍ତ ହେଉ ନ ଥିଲି। ଯାହା ମିଳୁଥିଲା ତାହା ଭଗବାନଙ୍କ ଦୟା ବୋଲି ଭାବିନେଲେ ମନ ବିଚଳିତ ହୁଏ ନାହିଁ। ଦେଖ, ଶେଷରେ ଆମମାନଙ୍କୁ ଉଦ୍ଧାର କରାଗଲା। ତେଣୁ ଈଶ୍ବରଙ୍କ ଦୟାକୁ ବୁଝ। ସେତିକି ବୁଝିଲେ ହତାଶ ହେବ ନାହିଁ।