ଜଣେ ବଣିକ କୌଣସି ଏକ ଦୂର ସ୍ଥାନକୁ ଯାଉଥିଲେ। ବାଟରେ ପଡ଼ିଲା ରାଜ୍ୟର ରାଜଧାନୀ ଯେଉଁଠି ଥିଲା ରାଜାଙ୍କ ଉଆସ। ବଣିକ ଯାଇ ରାଜାଙ୍କୁ ସାକ୍ଷାତ କଲେ ଏବ˚ କଥାବାର୍ତ୍ତାରୁ ରାଜା ହୃଦୟଙ୍ଗମ କରିପାରିଲେ ଯେ ସେ ଜଣେ ଉତ୍ତମ ସ୍ବଭାବର ବ୍ୟକ୍ତି।
ତେଣୁ ବିଦାୟ ଦେଲା ବେଳେ ରାଜା ତାଙ୍କୁ କହିଲେ- ଆପଣ ଯେଉଁଠାକୁ ଯାଉଛନ୍ତି ତାହା ଅନେକ ଦୂର ଏବ˚ ବାଟରେ ପଡ଼ିବ ଗୋଟିଏ ଘନ ଜଙ୍ଗଲ। ସେଇ ଜଙ୍ଗଲରେ ଜଣେ ଦସ୍ୟୁ ଉତ୍ପାତ କରୁଛି। ଦେଖୁଛି ଆପଣ ନିରସ୍ତ୍ର। ତେଣୁ ଆତ୍ମରକ୍ଷା ଲାଗି ଏଇ ଖଣ୍ତାଟି ରଖନ୍ତୁ।
ଏହା ଦେଖି ମନ୍ତ୍ରୀ ରାଜାଙ୍କ କାନ ପାଖରେ ଧୀରେ କହିଲେ- ମହାରାଜ, ଏହା ଅଯଥା ଦାନ।
ଏ କଥା ଶୁଣି ରାଜା ମନ୍ତ୍ରୀଙ୍କ ଆଡ଼କୁ ବିରକ୍ତିସୂଚକ ଦୃଷ୍ଟି ନିକ୍ଷେପ କଲେ। କିନ୍ତୁ, ବଣିକ ଜଣକ ଖଣ୍ତାଟିକୁ ଧରି ତାହାକୁ ଟିକିଏ ପରଖି ରାଜାଙ୍କୁ ଫେରାଇ ଦେଇ ବିନମ୍ରତାର ସହିତ କହିଲେ- ମହାରାଜ, ଏହା ଏକ ଅଯଥା ଦାନ। କାରଣ ଏହା ମୋର ଲାଭ ବଦଳରେ ଅଧିକ କ୍ଷତି କରିବ। କାରଣ ଅସ୍ତ୍ରର ଧାର ସେତିକି ବେଳେ କାମରେ ଆସେ, ଯେତେବେଳେ ତାକୁ ଚଳାଇବା ଲାଗି ସେ ଉପଯୁକ୍ତ ହାତ ପାଏ। ମୋ ହାତ ସେଥି ଲାଗି ଉପଯୁକ୍ତ ନୁହେଁ। ବରଂ ଆପଣ ଯେଉଁ ଦସ୍ୟୁ କଥା କହୁଛନ୍ତି ସେ ଏହାକୁ ଛଡ଼ାଇ ନେଇ ଆହୁରି ଉତ୍ପାତ କରିବ।
ରାଜା ଏବେ ମନ୍ତ୍ରୀଙ୍କ କଥାର ମର୍ମ ବୁଝି ପାରିଲେ। ତା’ ପରେ ସେ କହିଲେ- ଠିକ୍‌ ଅଛି ମୁଁ ଆପଣଙ୍କ ସହିତ ଏହି ଖଣ୍ଡା ଚଳାଇ ପାରୁଥିବା ଭଳି ହାତ ମଧ୍ୟ ପଠାଉଛି। ଏହା ପରେ ରାଜାଙ୍କ ଆଦେଶରେ ଜଣେ ସୈନିକ ବଣିକଙ୍କ ସହିତ ଗଲେ।