ଚୀନ୍ରେ ଏକ ସମୟରେ ଥିଲେ ଦୁଇଜଣ ପ୍ରସିଦ୍ଧ ଦାର୍ଶନିକ। ଲାଓତ୍ ସୁ ଓ କନ୍ଫୁସିଅସ୍। ଦୁହିଁଙ୍କ ଦର୍ଶନ ଭିତରେ ଥିଲା ଅନେକ ପ୍ରଭେଦ।
ଦିନକର କଥା। ଲାଓତ୍ ସୁ ଗୋଟିଏ ଗାଁକୁ ଯାଇଥିଲେ। ସେଇ ଗାଁର ଲୋକେ ଥିଲେ ତାଙ୍କର ଅନୁଗାମୀ। ସେଠାରେ ସେ ଗୋଟିଏ ଗଛ ମୂଳରେ ବସିଥିବା ବେଳେ ତାଙ୍କ ଆଗରେ ତାଙ୍କର ଦୁଇଜଣ ଶିଷ୍ୟ ଜୁଆଳିରେ ନିଜକୁ ଯୋଚି ଧାନରେ ବେଙ୍ଗଳା ପକାଉଥିଲେ। ସେଇ ଶିଷ୍ୟ ଦୁହିଁଙ୍କ ଭିତରୁ ଜଣଙ୍କର ବୟସ ଥିଲା ନବେ ବର୍ଷ ଏବ˚ ଅନ୍ୟ ଜଣଙ୍କର ବୟସ ଥିଲା ତିରିଶ ବର୍ଷ। ଦୈବାତ୍ ସେଇ ବାଟ ଦେଇ ଯାଉଥିଲେ କନ୍ଫୁସିଅସ୍। ସେ ଏ କଥା ଦେଖି ଅଟକି ଗଲେ।
ସେ ଲାଓତ୍ ସୁଙ୍କୁ କହିଲେ- ତୁମେ କି ପ୍ରକାର ମଣିଷ କିହୋ? ତୁମ ଆଗରେ ଜଣେ ନବେ ବର୍ଷର ବୃଦ୍ଧ ଜୁଆଳିରେ ଯୋଚି ହୋଇ ବେଙ୍ଗଳା ପକାଉଛି, ତୁମେ ଦେଖୁଛ ଅଥଚ ମନା କରୁନାହଁ। ଆମ ଅଞ୍ଚଳରେ ଆଉ ମଣିଷମାନେ ଏ କାମ କରୁନାହାନ୍ତି। ଘୋଡ଼ାମାନେ କରୁଛନ୍ତି।
ଲାଓତ୍ ସୁ କନ୍ଫୁସିଅସ୍ଙ୍କୁ ତୁନି ରହିବାକୁ ଇସାରା ଦେଲେ। ସେ କହିଲେ- ଆସ୍ତେ କୁହ। ଏ ଦୁହେଁ ଅଜା ଓ ନାତି। ଆମ ଅଞ୍ଚଳରେ ନବେ ବର୍ଷର ଅଜା ବି ନାତିର ସମକକ୍ଷ। ଅଜା ଲାଗି ମୋର ଚିନ୍ତା ନାହିଁ। କିନ୍ତୁ ତୁମ କଥା ନାତି କାନରେ ପଡ଼ିଲେ, ସେ ଘୋଡ଼ା ଆଣି କାମରେ ଲଗାଇବ। ସେ ଯଦି ଘୋଡ଼ା ଆଣି କାମରେ ଲଗାଇବ ତେବେ ଏ ଅଞ୍ଚଳର ଲୋକଙ୍କ ଜୀବନ ନଷ୍ଟ ହୋଇଯିବ।
କନ୍ଫୁସିଅସ୍ କହିଲେ- ନଷ୍ଟ ହୋଇଯିବ? ସେମାନେ ତ ଆରାମରେ ରହିବେ।
ଲାଓତ୍ ସୁ କହିଲେ- ମୁଁ ଆରାମ କଥା କହୁନାହିଁ। ମୁଁ ଜୀବନ ନଷ୍ଟ ହେବା କଥା କହୁଛି। ତୁମେ ଯେଉଁ କଥା କହୁଛ ସେଥିରେ ଘୋଡ଼ାମାନେ ବଳୁଆ ହେବେ, ମଣିଷ ନିର୍ବଳ ହୋଇ ପଡ଼ିବ।