ଗୋଟିଏ ସ୍ଥାନରେ ଜଣେ ସାଧୁ ତାଙ୍କର ଏକମାତ୍ର ଶିଷ୍ୟ ସହିତ ରହୁଥିଲେ। ସାଧୁ ମୁଖ୍ୟତଃ ମୌନ ରହୁଥିଲେ, କଦବା କେମିତି ତାଙ୍କ ମୁହଁରୁ ଗୋଟିଏ ଅଧେ ବାକ୍ୟ ବାହାରୁଥିଲା। ଶିଷ୍ୟ ଜଣକ ସେଇ ବଚନାମୃତକୁ ଚାତକ ଭଳି ଚାହିଁ ରହୁଥିଲେ। ତା’ ନ ହେଲେ କେବଳ ନିରବତାରେ ସେମାନଙ୍କ ସମୟ ବିତୁଥିଲା।
ଥରେ ସେହି ଗାଁକୁ ଆସିଲେ ଆଉ ଜଣେ ସାଧୁ। ତାଙ୍କ ସହିତ ଥିଲେ ଦଳେ ଶିଷ୍ୟ। ସେହି ଗାଁରେ ସାଧୁ ପ୍ରତି ସଂଧ୍ୟାରେ ପ୍ରବଚନ ଦେବାକୁ ଲାଗିଲେ। ତାଙ୍କୁ ଶୁଣିବାକୁ ଲୋକଙ୍କ ପ୍ରବଳ ଗହଳି ହେଲା। ମୌନ ସାଧୁଙ୍କ ସହିତ ତାଙ୍କ ଶିଷ୍ୟ ବି ତାହା ଶୁଣିବାକୁ ଗଲେ। ଚମତ୍କାର ପ୍ରବଚନ। ତାକୁ ଶୁଣୁଥିବା େଲାକେ ଅଭିଭୂତ ହୋଇଗଲେ। ପ୍ରବଚନ ସରିବା ପରେ ମୌନ ସାଧୁଙ୍କ ଶିଷ୍ୟଙ୍କୁ ଜଣେ ଶୁଭାକାଂକ୍ଷୀ କହିଲେ- ବାବୁ, ତୁମେ ଯାହାଙ୍କ ଶିଷ୍ୟ ହୋଇଛ, ତାଙ୍କ ଠାରୁ ମୌନତା ବ୍ୟତୀତ ଆଉ କ’ଣ ପାଇଛ? ଗୁରୁ କରିବ ତ ଏ ଯେଉଁ ସାଧୁ ତାଙ୍କୁ ଗୁରୁ କର। ତାଙ୍କର ଜ୍ଞାନ କେତେ ଦେଖ।
ଏହା ଶୁଣି ଶିଷ୍ୟ କହିଲେ- ମୁଁ ତ ତାଙ୍କର କୌଣସି ଜ୍ଞାନ ଦେଖିପାରିଲି ନାହିଁ। ଏପରିକି ସେ କେତେବେଳେ କହିଲେ ତା’ ମଧ୍ୟ ଜାଣିପାରିଲି ନାହିଁ। ତାଙ୍କ କଣ୍ଠ ଦେଇ ଉପନିଷଦ୍ କହିଲା, ଗୀତା କହିଲା, ଶାସ୍ତ୍ରମାନେ କହିଲେ, କିନ୍ତୁ ସେ କେେତବେଳେ କହିଲେ? ତାଙ୍କ ନିଜ ଜ୍ଞାନରୁ ତ କିଛି ଶୁଣିପାରିଲି ନାହିଁ। ଯାହା ତାଙ୍କ ଜ୍ଞାନ ବୋଲି ଆପଣ ଭାବୁଛନ୍ତି, ତାହା ପ୍ରକୃତରେ ଅନ୍ୟ ସ୍ରୋତରୁ ଆସିଥିବା ଜ୍ଞାନ। ମୋ ଗୁରୁ ମୌନ ରହନ୍ତି। କିନ୍ତୁ ଯେତେବେଳେ ପଦଟିଏ କହନ୍ତି, ତାହା ନିଜର ଅନନ୍ୟାନୁଭୂତିରୁ କହନ୍ତି। ସେଭଳି ଜ୍ଞାନର ମୁକ୍ତା ପାଇବାକୁ ହେଲେ ତପସ୍ୟା କରିବାକୁ ପଡ଼େ।