ଆନନ୍ଦ ଥରେ ଗୌତମ ବୁଦ୍ଧଙ୍କୁ ପଚାରିଲେ- ତଥାଗତ, ମୋ ଭଳି ଭିକ୍ଷୁମାନେ ନାରୀମାନଙ୍କ ସାନ୍ନିଧ୍ୟ ଲାଭ କରିପାରିବେ ନା ନାହିଁ?
ଗୌତମ ବୁଦ୍ଧ କହିଲେ- ନା।
- ଯଦି ଅତିି ଦରକାର ପଡ଼େ? ପରିସ୍ଥିତି ବାଧ୍ୟ କରେ, ତେବେ?
- ତେବେ ଅବଶ୍ୟ କରାଯାଇପାରେ।
- ତେବେ ନାରୀମାନଙ୍କୁ ସ୍ପର୍ଶ କରିବା ଉଚିତ ନା ନୁହେଁ?
- ନା, ସେମାନଙ୍କୁ ସ୍ପର୍ଶ କରିବ ନାହିଁ।
- କିନ୍ତୁ ଯଦି ଅତିି ଆବଶ୍ୟକ ହୁଏ? ଧରନ୍ତୁ ଜଣେ ଯୁବତୀ ଭୀଷଣ ରୋଗରେ ପୀଡ଼ିତ। ତାଙ୍କୁ ଚିକିତ୍ସା କରାଯିବା ଜରୁରୀ। ତାଙ୍କୁ ସେବା କଲା ବେଳେ ସ୍ପର୍ଶ କରିବା କ’ଣ ଅନୁଚିତ?
- ସେତିକି ବେଳେ ସ୍ପର୍ଶ କରିପାର। କିନ୍ତୁ ସାଧାରଣ ସ୍ଥିତିରେ ନୁହେଁ।
- କିନ୍ତୁ ତଥାଗତ, କ୍ଷମା କରିବେ, ମନରେ ଗୋଟିଏ ପ୍ରଶ୍ନ ଉଠୁଛି। ଆପଣ କିଭଳି ସାଧାରଣ ସ୍ଥିତିରେ ନାରୀ ସାନ୍ନିଧ୍ୟ ଲାଭ କରୁଛନ୍ତି! ଗୌତମ ହସିଲେ ଓ କହିଲେ- ନାରୀମାନେ ଆମର ଶତ୍ରୁ ନୁହନ୍ତି। କିନ୍ତୁ ନାରୀର ଉପସ୍ଥିତି, ତା’ର ସାନ୍ନିଧ୍ୟ ଏବଂ ତା’ର ସ୍ପର୍ଶ ଯେଉଁ ପ୍ରବୃତ୍ତି ଜାତ କରାଏ, ଜଣେ ବୈରାଗୀ ଭିକ୍ଷୁ ଲାଗି ତାହା ହିଁ ଶତ୍ରୁ।
ଆନନ୍ଦ କହିଲେ- ବୁଝିପାରିଲି ତଥାଗତ। କିନ୍ତୁ ସେ ପ୍ରବୃତ୍ତିକୁ ରୋଧ କରାଯିବ କିପରି?
ବୁଦ୍ଧ କହିଲେ- ରୋଧ କରାଯିବାର ପ୍ରଶ୍ନ ନାହିଁ। ପ୍ରବୃତ୍ତିର ପ୍ରବାହକୁ ରୋଧ କରିବାର ଚେଷ୍ଟା ଅନ୍ୟାନ୍ୟ ଉଚ୍ଛୃଙ୍ଖଳତାକୁ ଜନ୍ମ ଦେବ। ଚେଷ୍ଟା ରହିବା ଉଚିତ ଯେମିତି ପ୍ରବୃତ୍ତି ଆଦୌ ଜାତ ନ ହୁଏ।
ପାଖରେ ଥିବା ଏକ ବିଲ୍ବ ବୃକ୍ଷକୁ ଦେଖାଇ ଗୌତମ କହିଲେ- ଯେଉଁ ଦିନ ତୁମ ମନରେ ଜଣେ ନାରୀ ଏବଂ ଏହି ବୃକ୍ଷ ଭିତରେ କୌଣସି ପାର୍ଥକ୍ୟ ରହିବ ନାହିଁ, ସେ ଦିନ ଜଣେ ବୈରାଗୀ ଭାବେ ତୁମେ ନାରୀ ସାନ୍ନିଧ୍ୟ ଲାଭ କରିପାରିବ।