ଥରେ ରାଜାଙ୍କ ପାଖରେ ତାଙ୍କର ଜଣେ ପ୍ରିୟ ଅମାତ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ। ପତ୍ନୀ କାନ୍ଦି କାନ୍ଦି ଅଭିଯୋଗ କଲେ ଯେ ତାଙ୍କ ସ୍ବାମୀ ତାଙ୍କୁ ପ୍ରାୟ ପ୍ରତିଦିନ ମାରଧର କରନ୍ତି। ତାଙ୍କୁ କଥା କଥାକେ ଅପମାନିତ କରନ୍ତି। ଏବ˚ ଦିନକୁ ଦିନ ତାଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି ଯାହା ଅସହ୍ୟ ହେଲାଣି।
ଏ ଅଭିଯୋଗକୁ ରାଜା ବିଶ୍ବାସ କରିପାରିଲେ ନାହିଁ। ତେବେ ସେ ଅମାତ୍ୟଙ୍କ ପତ୍ନୀଙ୍କୁ ଘରକୁ ପଠାଇ ଦେଇ ଘଟଣାର ସତ୍ୟାସତ୍ୟ ନେଇ ଚିନ୍ତାରେ ଡୁବିଗଲେ। ଏଇ ସମୟରେ ମନ୍ତ୍ରୀ ଆସି ପହଞ୍ଚି ରାଜାଙ୍କୁ ଏଭଳି ଚିନ୍ତାଗ୍ରସ୍ତ ହେବାର କାରଣ ପଚାରିଲେ।
ରାଜା ମନ୍ତ୍ରୀଙ୍କୁ ଅମାତ୍ୟଙ୍କ ପତ୍ନୀ କରିଥିବା ଅଭିଯୋଗ ବାବଦରେ ବର୍ଣ୍ଣନା କରି କହିଲେ- ଏତେ ଭଦ୍ର, ଶାନ୍ତଶିଷ୍ଟ ଓ ସୁଶୀଳ ଅମାତ୍ୟ ତାଙ୍କ ପତ୍ନୀଙ୍କୁ ମାରପିଟ କରୁଥିବେ, କର୍କଶ ଭାଷାରେ ଗାଳି ଦେଇ ଅପମାନିତ କରୁଥିବେ; ଏ କଥା ମୁଁ ଆଦୌ ବିଶ୍ବାସ କରିପାରୁନାହିଁ। ମୋତେ ଲାଗୁଛି ଏହା ମିଛ କଥା।
ମନ୍ତ୍ରୀ କିନ୍ତୁ କହିଲେ- ନା, ମହାରାଜ, ଏ ଅଭିଯୋଗ ସତ ହେବାର ସମ୍ଭାବନା ଅଧିକ।
ରାଜା ପଚାରିଲେ- ତୁମେ ଏମିତି ଭାବୁଛ କାହିଁକି? ମାଛିକୁ ମ ବୋଲି କହୁ ନ ଥିବା ଅମାତ୍ୟ କେବେ ଏମିତି କରିପାରିବେ?
ମନ୍ତ୍ରୀ କହିଲେ- ଆପଣଙ୍କ ସମକ୍ଷରେ ଅମାତ୍ୟ ଆଉ କେମିତି ବ୍ୟବହାର ଦେଖାନ୍ତେ। ଆପଣ ତାଙ୍କୁ ଯେପରି ଚିହ୍ନିଛନ୍ତି ତାହା ତାଙ୍କର ପ୍ରକୃତ ସ୍ବରୂପ ହୋଇ ଥାଇ ନ ପାରେ। ଆପଣ ତାଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ ଗୁପ୍ତଚର ପଠାଇ ବୁଝନ୍ତୁ ଘଟଣା କ’ଣ?
ରାଜା ଗୁପ୍ତଚର ପଠାଇଲେ। ଅମାତ୍ୟଙ୍କ ପତ୍ନୀଙ୍କ ଅଭିଯୋଗ ସତ ବୋଲି ଜଣାପଡ଼ିଲା। ମନ୍ତ୍ରୀ ରାଜାଙ୍କୁ କହିଲେ- ମହାରାଜ, ଲୋକଙ୍କ ଉପରେ ଆପଣଙ୍କ ଧାରଣା କ’ଣ ସେ ନେଇ ବିଚାର କରିବା ମସ୍ତ ବଡ଼ ଭୁଲ୍ ହେବ। କାରଣ ଆପଣଙ୍କ ନିକଟରେ ସବୁଠାରୁ କଦର୍ଯ୍ୟ ବ୍ୟକ୍ତି ବି ସ˚ଭ୍ରମ ଦେଖାଇବ।
ରାଜାଙ୍କ ଧାରଣା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)