ଜଣେ ରାଜାଙ୍କ ମୃତ୍ୟୁ ପରେ ରାଜପୁତ୍ର ନୂଆ ରାଜା ଭାବେ ଅଭିଷିକ୍ତ ହେଲେ। ଶାସନର ବର୍ଷକ ପରେ ନୂଆ ରାଜା ତାଙ୍କ ଶିକ୍ଷା ଗୁରୁଙ୍କୁ ଉଆସକୁ ଆମନ୍ତ୍ରଣ କଲେ। ଗୁରୁ ନୂଆ ରାଜାଙ୍କ କାରବାର ସବୁ ଦେଖିଲେ। ରାଜା ସେତିକି ବେଳକୁ ତୋଷାମଦକାରୀମାନଙ୍କ ଦ୍ବାରା ପରିବେଷ୍ଟିତ। ପ୍ରଜାମାନଙ୍କ କଥା ବୁଝିବା ଲାଗି ତାଙ୍କ ପାଖରେ ସମୟ ନାହିଁ।
ଗୁରୁ ତାଙ୍କୁ କହିଲେ- ବାବୁ ତୁମେ ରାଜ କାର୍ଯ୍ୟରେ ଟିକିଏ ମନ ଦିଅ। ରାଜା କହିଲେ- ଗୁରୁଦେବ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ଶାସନରେ ସବୁ ପ୍ରଜା ବେଶ୍ ଖୁସି। ମୋ ପାଖ ଲୋକେ ମତେ ଏ ଖବର ଦେଉଛନ୍ତି।
ଗୁରୁ କହିଲେ- ମୁଁ ତୁମର ପାଖ ଲୋକମାନଙ୍କୁ ଦେଖି ସାରିଲିଣି। ତୁମ ବାପା ଯେତେବେଳେ ଶାସନ କରୁଥିଲେ ସେତିକି ବେଳେ ତାଙ୍କର ଏତେ ପାଖ ଲୋକ ନ ଥିଲେ। ତୁମେ କାହିଁକି ଏତେ ପାଖ ଲୋକଙ୍କୁ ରଖିଛ?
ନୂଆ ରାଜା କହିଲେ- ଗୁରୁଦେବ, ସେମାନେ ତ ମୋର ଶକ୍ତି। ସେମାନେ ଥିବାରୁ ମୋ ଶାସନ ନିରଙ୍କୁଶ ଏବ˚ ମୋ ରାଜ୍ୟ ନିରାପଦ।
ଗୁରୁ ଆଉ କିଛି କହିଲେ ନାହିଁ। ତା’ ପରେ ସେ ରାଜମାତାଙ୍କୁ ଦେଖା କରି କହିଲେ- ରାଣୀ ମାଆ, ଆପଣଙ୍କ ସ୍ବାମୀ ଶାସନ କଲା ବେଳେ ଏ ପ୍ରାସାଦର ଗୋଟିଏ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଥିଲା। କିନ୍ତୁ ଆପଣଙ୍କ ପୁଅର ରାଜୁତି କାଳରେ ଗୋଟିଏ ଗଳା ବାଟ ଦରକାର ପଡ଼ିପାରେ। ତେଣୁ ଆପଣ ନିଜର ଏକାନ୍ତ ବିଶ୍ବସ୍ତଙ୍କ ଜରିଆରେ ରାଜପ୍ରାସାଦ ଭିତରୁ ଗୋଟିଏ ସୁଡ଼ଙ୍ଗ ଖୋଳି ତାକୁ ନିରାପଦ ଦୂରତାରେ ଛାଡ଼ିବାର ବ୍ୟବସ୍ଥା କରନ୍ତୁ। କାରଣ ଆପଣଙ୍କ ପୁତ୍ର ଶତ୍ରୁ ଓ ମିତ୍ର ଭିତରେ ପ୍ରଭେଦ ବୁଝୁନାହିଁ।
ଗୁରୁଙ୍କ କଥା ସତରେ ପରିଣତ ହେଲା। ଶତ୍ରୁରୂପୀ ତୋଷାମଦିଆଙ୍କ କାରଣରୁ ରାଜା ରାଜପଦ ହରାଇଲେ କିନ୍ତୁ ରାଣୀ ଖୋଳାଇଥିବା ସୁଡ଼ଙ୍ଗ ଥିବାରୁ ନିଜ ନିଜ ସହିତ ନିଜ ପରିବାରର ପ୍ରାଣ ରକ୍ଷା କରି ପାରିଲେ।
ଆଗତଦ୍ରଷ୍ଟା ଗୁରୁ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)