ଗୋଟିଏ ଗାଁରେ କୁମ୍ଭାରଟିଏ ରହୁଥିଲା। ସେ ମାଟିରୁ କେବଳ ଚିଲମ ତିଆରି କରୁଥିଲା। ହାଟରେ ଚିଲମ ବିକି ସେ ଚଳୁଥିଲା। ଦିନକର କଥା। ତା’ ସ୍ତ୍ରୀ ଆସି ତାକୁ କହିଲା- ଗୋଟିଏ କଥା ତୁମକୁ କହିବି କହିବି ବୋଲି ଭାବୁଛି, ଶୁଣ। ଏବେ ଖରା ଦିନ। ଉଦୁଉଦିଆ ଦ୍ବିପହରେ ତୁମେ ଚିଲମ ତିଆରି କରୁଛ। କାହିଁକି ଚିଲମ ବଦଳରେ ସୁରେଇ ତିଆରି କରୁନା? ଚିଲମରେ ଲୋକେ ନିଆଁ ଧୂଆଁ ଟାଣି ଆହୁରି ତାତିଲା ହେଉଛନ୍ତି। ସୁରେଇ ତିଆରି କର ଯେ ଲୋକେ ଥଣ୍ତା ପାଣି ପିଇ ଅନ୍ତତଃ ଶୀତଳ ହେବେ।
କୁମ୍ଭାର କିଛି ସମୟ ପାଇଁ କଥାଟିକୁ ଭାବିଲା। ସେ ଭାବିଲା ଯେ ସାରା ଜୀବନ ତ ଚିଲମ ତିଆରି କରି କାଟିଲି। ଏବେ ସତରେ କଅଣ ସୁରେଇ ତିଆରି କରିବି? ତେବେ ସ୍ତ୍ରୀ ଯେତେବେଳେ ଚାହୁଁଛି, ଥରେ ସୁରେଇ କରି ଦେଖେ।
ସେ କୁମ୍ଭାର ଚକ ଉପରେ ଟେଳାଏ କାଦୁଆ ମାଟି ଛାଟିଦେଇ ହାତକୁ ବୁଲେଇ ଆଣିଲା। ସୁନ୍ଦର ସୁରେଇ ଗଢ଼ି ହୋଇଗଲା। ତା’ ପର ଠାରୁ ସେ ସୁରେଇ ତିଆରି କରିବାରେ ଲାଗିଲା।
ଦିନେ ଦ୍ବି ପହରେ ସେ ହାଟରୁ ଫେରିବା ବାଟରେ ଜଣଙ୍କ ପିଣ୍ତାରେ ଥକ୍କା ମାରି ବସିପଡ଼ିଲା। ସେଇ ପିଣ୍ତାର ଗୋଟିଏ କୋଣରେ ସୁରେଇଟିଏ ଥିଲା। ହଠାତ୍ କୁମ୍ଭାରକୁ ଲାଗିଲା ସୁରେଇ ତାକୁ ଧନ୍ୟବାଦ ଦେଉଛି। ସତେ ଯେମିତି ସୁରେଇ କହୁଛି- ଭାଇ, ଧନ୍ୟବାଦ। ମୁଁ ଚିଲମ ହୋଇଥାଆନ୍ତି, ଯାହା ହେଉ ତୁମେ ମୋତେ ସୁରେଇରେ ପରିଣତ କଲ!
କୁମ୍ଭାର ମନେ ମନେ କହିଲା- ସତରେ ଭାଇ ଭାବନାର ଧାରା ଟିକିଏ ବଦଳି ଗଲେ ଚିଲମ ସୁରେଇରେ ବଦଳି ଯାଏ।
ସୁରେଇ ସତେ ଯେମିତି ଉତ୍ତର ଦେଲା- ହଁ ତୁମ ଭାବନା ବଦଳି ଗଲା ତ ମୋ ଜୀବନ ବଦଳିଗଲା।
ଭାବନା ବଦଳି ଗଲା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)