ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ଆତ୍ମା ମୃତ୍ୟୁ ପରେ ନର୍କକୁ ଗଲା। ସେ ବିସ୍ମିତ ହୋଇ ଯମରାଜଙ୍କ ସହିତ ଯୁକ୍ତି କରି କହିଲେ- ମୁଁ ମୋ ଜୀବନ କାଳରେ କେବଳ ସାଧୁତା ଅବଲମ୍ବନ କରିଛି। ଜୀବନରେ ଅନ୍ତତଃ ପନ୍ଦର ଥର ରାସ୍ତାରେ ପଡ଼ିଥିବା ସୁନା ମୋହର ଓ ଅଳଙ୍କାର ପାଇ କେବେ ବି ଆତ୍ମସାତ୍ ନ କରି ଦରିଦ୍ରମାନଙ୍କ ସେବାରେ ଲଗାଇଛି। କେବେ ବି ଦୁର୍ନୀତି କରିନାହିଁ। ଅଥଚ ମୋତେ ନର୍କ କାହିଁକି?
ଯମରାଜ ଏହା ଶୁଣି କହିଲେ- ଏଇ ସବୁ କାରଣରୁ ତୁମର ସ୍ବର୍ଗରେ ବି କିଛି କ୍ଷଣ କାଟିବାର ଦଶା ଅଛି। ଏବେ ପ୍ରଥମେ ସ୍ବର୍ଗ ଯାଇ ବୁଲି ଆସ।
ଲୋକଟିର ଆତ୍ମା ସ୍ବର୍ଗରେ ଭଗବାନଙ୍କୁ ଭେଟି ତା’ର ଅଭିଯୋଗ ଜଣାଇଲା। ଭଗବାନ ସବୁ ଶୁଣି କହିଲେ- ତୁମ କଥା ଠିକ୍। ତୁମେ ଅତି ସାଧୁତାର ସହିତ ଜୀବନ କାଟିଛ ନିଶ୍ଚୟ। କିନ୍ତୁ ତୁମ ଲାଗି ନର୍କ ଭୋଗ ରହିଛି। ତୁମ ସାମନାରେ ଏଇ ଲୋକକୁ ଦେଖ। ସେ ମର୍ତ୍ତ୍ୟରେ ଥିଲା ବେଳେ ମାତ୍ର ଥରଟିଏ ବାଟରେ ସୁନା ମୋହରଟିଏ ପାଇଥିଲା। ତାକୁ ସେ ନିଜେ ବ୍ୟୟ ନ କରି ଦରିଦ୍ର ନାରାୟଣଙ୍କ ସେବାରେ ଲଗାଇ ଦେଲା। କିନ୍ତୁ ସେତିକିରେ ତା’ର ପୁଣ୍ୟ ଫଳ ଏତେ ବଢ଼ିଗଲା ଯେ ସେ ସିଧା ସ୍ବର୍ଗକୁ ଆସିଲା।
ବ୍ୟକ୍ତିଙ୍କ ଆତ୍ମା କହିଲା- ଏହା ତ ଅବିଚାର। ମୁଁ ତ ଏମିତି ଅନେକ ଥର କରିଛି।
ଭଗବାନ କହିଲେ- ତାହା ସତ। କିନ୍ତୁ ସେ ଯେତେବେଳେ ଏ କାମଟି କଲା ସେତିକି ବେଳେ ତା’ର ଏକମାତ୍ର ପୁତ୍ର ବ୍ୟାଧିଗ୍ରସ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ଥିଲା। ସେ ସେତିକି ବେଳେ ବି ସାଧୁତା ଦେଖାଇଲା। ତୁମେ ସେମିତି ପରୀକ୍ଷା ଦେଇ ନାହଁ। ଦ୍ବିତୀୟ କଥା, ସେ ଏଇ କଥା କାହାକୁ କେବେ କହି ନାହିଁ। ତାହା ତା’ର ପୁଣ୍ୟ ଭୋଗକୁ ଆହୁରି ଅଧିକ କରି ଦେଉଛି। ତୃତୀୟ ଓ ସବୁଠାରୁ ବଡ଼ କଥା ହେଲା ତୁମେ ଯେତେବେଳେ ବି ସୁନା ମୋହର ପାଇଛ ସେତିକି ବେଳେ କ୍ଷଣିକ ଲାଗି ହେଲେ ବି ତୁମ ମନରେ ଲୋଭ ସୃଷ୍ଟି ହୋଇଛି, ଯାହାକୁ ରୋଧ କରି ତୁମେ ତାହାକୁ ଦମନ କରି ଦେଇଛ। କିନ୍ତୁ ସେହି ବ୍ୟକ୍ତି ମନରେ ସେଭଳି ଲୋଭ ମଧ୍ୟ ଜାତ ହୋଇନାହିଁ।
ନର୍କ ଗମନ କାହିଁକି?
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)