ପିଲାଟିଏ ଗୋଟିଏ ଶୁଆ ପାଳିଥିଲା। ସେ ଓ ଶୁଆ ପରସ୍ପରର ଖୁବ୍ ଘନିଷ୍ଠ ଥିଲେ। ପିଲାଟି ଶୁଆକୁ ଶିଖାଇଥିଲା ଗୋଟିଏ ପ୍ରଶ୍ନ- ତୁ କିଏ? ତେଣୁ ପିଲାଟିକୁ ଦେଖିବା ମାତ୍ରକେ ଶୁଆଟି ପଚାରେ- ତୁ କିଏ?
ଦିନ ଗଡ଼ି ଚାଲିଲା। ପିଲାଟି ଏବେ ତରୁଣ। କୌଣସି କାମରେ ବାହାରକୁ ଯାଇ ସେ ଯେତେବେଳେ ଘରକୁ ଫେରୁଥାଏ, ଶୁଆଟି ତାକୁ ସେଇ ପ୍ରଶ୍ନ ପଚାରେ- ତୁ କିଏ? ତରୁଣଟି ହସି ଦିଏ। କିନ୍ତୁ ଶୁଆଟି ପଚାରି ଚାଲିଥାଏ- ତୁ କିଏ? ତୁ କିଏ?
ଦିନ ଗଡ଼ିଗଲା। ତରୁଣର ପଢ଼ା ସରିଲା। ସେ ଚାକିରି ଖୋଜିବାରେ ଲାଗିଲା। କିନ୍ତୁ ଚାକିରି ମିଳିଲା ନାହିଁ। ସବୁଠାରେ ସେ ଅଯୋଗ୍ୟ ବୋଲି ବିବେଚିତ ହେଲା। ଦିନେ ଅତି ବିମର୍ଷ ଚିତ୍ତରେ ସେ ଘରେ ପଶିବା କ୍ଷଣି ଶୁଆଟି ତା’ କାନ୍ଧରେ ବସି ପଚାରିଲା- ତୁ କିଏ? ତୁ କିଏ?
ଏହି କ୍ଷଣି ହଠାତ୍ ତା’ର ମନରେ ଭାବନ୍ତର ହେଲା। ସେ ଭାବିଲା- ଶୁଆଟି ଏତେ ଦିନ ଧରି ପଚାରି ଚାଲିଛି। ସତରେ ସେ କିଏ? ତା’ର ଅସଲ ପରିଚୟ କ’ଣ?
ସେ ଦଣ୍ତେ ବସିପଡ଼ିଲା। ତା’ ପରେ ନିଃଶବ୍ଦରେ ଘରୁ ବାହାରିଗଲା ଆତ୍ମ ଅନ୍ବେଷଣରେ। ଅନେକ ବର୍ଷର ସାଧନା ପରେ ସେ ଜଣେ ଦିବ୍ୟ ପୁରୁଷରେ ପରିଣତ ହୋଇସାରିଥିଲା। ଶୁଆର ନିରୀହ ପ୍ରଶ୍ନ ତା’ ଭିତରେ ବ୍ରହ୍ମଜ୍ଞାନ ପ୍ରାପ୍ତିର ମାର୍ଗ ଖୋଲିଦେଲା।
ଏ କଥାଟି କହି ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ- ଜୀବନର ମାର୍ଗରେ ପରିବର୍ତ୍ତନ ଲାଗି କୌଣସି ବଡ଼ ଘଟଣାର ଆବଶ୍ୟକତା ନାହିଁ। ଏକ ଛୋଟ ଘଟଣା ବି ଆତ୍ମ ଅନ୍ବେଷଣ ଲାଗି ତୁମ ହାତରେ ଚାବି ଦେଇ ଦେଇପାରେ।
ତୁ କିଏ?
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)