ଜଣେ ଯୁବକ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀକୁ ପସନ୍ଦ କରି ତାକୁ ତା’ର ଭଲ ପାଇବା କଥା କହିଲା। ଏହା ଶୁଣି ଯୁବତୀ କହିଲା- ତୁମେ ଗୋଟାଏ ଗଧ। ତୁମକୁ କିଏ ଭଲ ପାଇବ?
ଏହା ଶୁଣି ଯୁବକର ଆଖିରେ ଲୁହ ଜକେଇ ଆସିଲା। ଯୁବକର ଗୋଟିଏ ଗଧ ଥିଲା। ସେ ତା’ ପିଠିରେ ବସି ଏକ ନିକାଞ୍ଚନ ଜାଗାକୁ ଚାଲିଗଲା ଏବ˚ ସେଇ କଥା ବାରମ୍ବାର କହି କାନ୍ଦିବାକୁ ଲାଗିଲା। ସେ ଦେଖିଲା ଗଧ ଆଖିରେ ବି ଲୁହ। ଗଧ ବି କାନ୍ଦୁଛି। ଯୁବକ କହିଲା-ଧନ୍ୟରେ ଗଧ, ତୋର ଯେତିକି ହୃଦୟବତ୍ତା ଅଛି ତା’ର କାଣିଚାଏ ହେଲେ ସେଇ ଝିଅ ପାଖରେ ଥାଆନ୍ତା!
ଏତିକି ବେଳେ ସେଇ ବାଟ ଦେଇ ଜଣେ ସାଧୁ ଯାଉଥିଲେ। ସେ ଗଧ ଓ ମଣିଷଙ୍କ ଭିତରେ ଏମିତି ଭାବ ବିନିମୟ ଦେଖି ଅଟକି ଯାଇ କଥା କ’ଣ ବୋଲି ପଚାରିଲେ।
ଏହା ଶୁଣି ଯୁବକଟି ସବୁ କଥା ବର୍ଣ୍ଣନା କରି କହିଲା- ମହାତ୍ମା, ଗୋଟିଏ ଗଧର ହୃଦୟରେ ଯେତିକି ଦୟା ଭାବ ଅଛି, ସେତକ ବି ସେ ଝିଅ ପାଖରେ ନାହିଁ। ସେ ମୋତେ ଯାହା କହିଲା, ସେଥିରେ ମୋ ଗଧର ଆଖିରୁ ବି ପାଣି ବହି ଆସିଲା।
ସାଧୁ କହିଲେ- ବାବୁ ତୁ ଭୁଲ୍‌ ବୁଝୁଛୁ। ମୋ ପାଖରେ ଥିବା ଶକ୍ତିରୁ ମୁଁ ପଶୁମାନଙ୍କ ମନ କଥା ବୁଝିପାରେ। ଏବେ ତୋତେ ଅସଲ କଥାଟି କହୁଛି, ଯାହା ସେହି ଝିଅର କଥା ଠାରୁ ବି ଅଧିକ ନିଷ୍ଠୁର। ପ୍ରକୃତରେ ଝିଅଟି ତୋତେ ଗୋଟିଏ ଗଧ ସହିତ ତୁଳନା କରିଥିବାରୁ ତାକୁ କାନ୍ଦ ମାଡୁଛି। ସେ ଭାବୁଛି ମଣିଷ ଭଳି ଗୋଟିଏ ପ୍ରକୃତିଛଡ଼ା ଜନ୍ତୁକୁ ଗଧ ସହିତ ସମତୁଲ କରିବା କି ଅବିଚାର ନୁହେଁ ସତେ?