ଦିନକର କଥା। ମୁଲ୍ଲା ନସିରୁଦ୍ଦିନ ଗୋଟିଏ ସୁସ୍ବାଦୁ କୋଳି ଗଛ ଉପରକୁ ଚଢ଼ି କୋଳି ତୋଳୁଥିଲେ। ସେଇ ସମୟରେ ଜୁଟିଲେ ଦଳେ ପିଲା। ସେମାନେ ମୁଲ୍ଲାଙ୍କୁ ଅନୁରୋଧ କରି କହିଲେ- ମୁଲ୍ଲା ଆମକୁ କିଛି କୋଳି ଦିଅନ୍ତୁ।
ମୁଲ୍ଲା ଉପରୁ ଥାଇ କହିଲେ- ମାଗିଲଣି ଯଦି ଅଲବତ ଦେବି। କିନ୍ତୁ ମୋର ଗୋଟିଏ ପ୍ରଶ୍ନ ରହିଛି। କୁହ, ଭଗବାନଙ୍କ ଭଳି ଦେବି ନା ମଣିଷଙ୍କ ଭଳି ଦେବି?
ଏ କଥା ଶୁଣି ସବୁଠାରୁ ବୁଦ୍ଧିଆ ପିଲାଟି କହିଲା- ଭଗବାନ ଯେତେବେଳେ ଦିଅନ୍ତି, କୁଢ଼େଇ ପକାନ୍ତି। ମଣିଷ କ’ଣ ଦେଇ ଜାଣେ? ତେଣୁ ଭଗବାନଙ୍କ ଭଳି ଦିଅ।
ଏହା ଶୁଣି ମୁଲ୍ଲା କଅଣ କଲେ ନା କୋଳି ଭର୍ତ୍ତି ହୋଇଥିବା ତାଙ୍କ ଟୋକରିକୁ ଫିଙ୍ଗି ଦେଲେ। ଟୋକରି ସହିତ କୋଳି ତକ ବିଛାଡ଼ି ହୋଇ ପଡ଼ିଲା। ଅଧିକା˚ଶ ଭାସିଗଲା ନିକଟରେ ବହିଯାଉଥିବା ନଈ ପାଣିରେ। କିଛି ପଡ଼ିଲା ଯାଇ ଅଦୂରରେ ଥିବା ଏକ ନର୍ଦ୍ଦମାରେ। ଯେତିକି ବି ଠିକଣା ଜାଗରେ ପଡ଼ିଲା, ତାକୁ ପାଇବା ପାଇଁ ପିଲାଏ ମାଡ଼ ଗୋଳ ହେଲେ ଏବ˚ ଯିଏ ଯାହା ପାରିଲା ନେଇ ଗଲା।
ଏହା ଦେଖି ବୁଦ୍ଧିଆ ପିଲାଟି ହତାଶ ହୋଇ କହିଲା- ମୁଲ୍ଲା, ୟେ କଅଣ ଠିକ୍‌ କଲ? ଭଗବାନ କଅଣ ଏମିତି ଦିଅନ୍ତି?
ମୁଲ୍ଲା କହିଲେ- ଭଗବାନ ଏମିତି ହିଁ ଦିଅନ୍ତି। ମଣିଷ ପାଖରେ ବୁଝିବିଚାରି ସମାନ ଭାବେ ବାଣ୍ଟ କରିବାର ସମ୍ଭାବନା ଅନ୍ତତଃ ଅଛି। ଭଗବାନଙ୍କ ପାଖରେ ତାହା ନାହିଁ। ସେ ଏମିତି ଢାଳି ଦିଅନ୍ତି। ପାତ୍ର ଅପାତ୍ର ବା ଜାଗା ଅଜାଗା ଦେଖନ୍ତି ନାହିଁ। ତୁମ ବୁଦ୍ଧି ବା ତୁମ ଭାଗ୍ୟ ଉପରେ ନିର୍ଭର କରିବ ତୁମେ କେତେ ପାଇଲ। ତେଣୁ ଯିଏ ପାଇଲା, ପାଇଲା ଓ ଯିଏ ନ ପାଇଲା ସେ ତୁନି ‌େହାଇ ରହେ ଏବଂ ଭାଗ୍ୟକୁ ଦୋଷ ଦିଏ।
ପିଲାଟି ଏଥର ମୁଲ୍ଲାଙ୍କ କଥାର ମର୍ମ ବୁଝିପାରିଲା।