ଜେନ ଗୁରୁ ନେନେଙ୍କ ନିକଟରେ ପହଞ୍ଚିଲେ ଜଣେ ପ୍ରୌଢ଼। ସେ ବିଷଣ୍ଣ ଦିଶୁଥିଲେ। େନନେଙ୍କୁ କହିଲେ- ମୋ ଜୀବନ ବ୍ୟର୍ଥ ହୋଇଗଲା। ମୁଁ ମୋ ଜୀବନକୁ ଯେମିତି ଚାହିଁଲି, ସେମିତି ଜିଇଲି। ଏବେ ଲାଗୁଛି ଯେ ସେ ସବୁର କିଛି ଆବଶ୍ୟକତା ନ ଥିଲା। ଏବେ ଲାଗୁଛି ସତେ ଯେମିତି ମୋ ଜୀବନ ନିରର୍ଥକ।
ନେନେ ନିରବରେ ବସିଥିଲେ ତାଙ୍କ ଆଶ୍ରମର ବାରଣ୍ଡାରେ। ଏ କଥା ଶୁଣି ପାଖରେ ରଖିଥିବା ବଂଶୀକୁ ସେହି ବ୍ୟକ୍ତିଙ୍କ ହାତକୁ ବଢ଼ାଇ ଦେଲେ ଏବଂ ହାତ ଠାରି କହିଲେ- ଯାଅ।
ସେ ବ୍ୟକ୍ତି କିଛି ବୁଝି ନ ପାରି ହତଭମ୍ବ ହୋଇ ଫେରିଲା। କିନ୍ତୁ ଏହାର ଅର୍ଥ ବାହାର କରିବା ଲାଗି ନେନେଙ୍କ ଶିଷ୍ୟ ୟୋକୁଜୁଙ୍କୁ ଭେଟିଲା। ୟୋକୁଜୁ ସବୁ ଶୁଣିବା ପରେ କହିଲେ- ଆପଣ ଭାବୁଛନ୍ତି ଆପଣଙ୍କ ଜୀବନ ବ୍ୟର୍ଥ ହୋଇଗଲା; କିନ୍ତୁ ସେମିତି ହୁଏ ନାହିଁ। ଜୀବନର କିଛି ଅର୍ଥ ନଥାଏ। ତହିଁରେ ଅର୍ଥ ଢାଳିବାକୁ ହୁଏ। ତା’ ପରେ ଯାଇ ଜୀବନ ଅର୍ଥପୂର୍ଣ୍ଣ ହୁଏ ବା ବ୍ୟର୍ଥ ହୁଏ। ତେଣୁ ଯଦି ଭାବୁଛନ୍ତି ଆପଣଙ୍କ ଜୀବନ ବ୍ୟର୍ଥ ହୋଇଛି, ତେବେ ନିରବରେ ଚିନ୍ତା କରି କ’ଣ କଲେ ଜୀବନ ଅର୍ଥପୂର୍ଣ୍ଣ ହେବ ସେଭଳି କାମ କରନ୍ତୁ। ଜୀବନରେ ଅର୍ଥ ଢାଳନ୍ତୁ।
ସେହି ଲୋକ ଜଣକ ବଂଶୀକୁ ଦେଖାଇ ପଚାରିଲେ- ଏବେ କୁହନ୍ତୁ ଏହାର ଅର୍ଥ କ’ଣ?
ୟୋକୁଜୁ ହସିଲେ ଏବଂ କହିଲେ- ଏହା ତ ଗୁରୁଙ୍କ ଉତ୍ତର। ଏହି ବଂଶୀରୁ ତ ମୁଁ ଗୁରୁଙ୍କ ସନ୍ଦେଶ ପାଇଲି। ଗୁରୁ କହିଲେ ଯେ ବଂଶୀରେ ସ୍ବର ନ ଥାଏ। ତହିଁରେ ଉପଯୁକ୍ତ ଭାବେ ଉପଯୁକ୍ତ ପରିମାଣର ପବନ ଭରିଲେ ତହିଁରୁ ସ୍ବର ବାହାରେ। ସେମିତି ଜୀବନ। ଜୀବନରେ ଅର୍ଥ ନ ଥାଏ, ତହିଁରେ ଅର୍ଥ ପୂରାଇବାକୁ ହୁଏ। ତେବେ ବଂଶୀ ବଜାଇଲା ବେଳେ ସ୍ବର ବେସୁରା ହେବ କି ମଧୁର, ତାହା ତୁମର ଦକ୍ଷତା ଉପରେ ନିର୍ଭର କରିବ।
ସେହି ବ୍ୟକ୍ତିି ବଂଶୀଟି ଧରି ଫେରିଲେ। ସେ ଆଉ ବିଷଣ୍ଣ ଦିଶୁ ନ ଥିଲେ।
ଜୀବନର ଅର୍ଥ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)