ଜଣେ ବୈରାଗୀ ପହଞ୍ଚିଲେ ଏକ ଆଶ୍ରମରେ। ତାଙ୍କ ଲାଗି ଖାଦ୍ୟପେୟ ଏବଂ ଶୋଇବା ଲାଗି ଶେଯର ବ୍ୟବସ୍ଥା କରାଗଲା। ସେ କିନ୍ତୁ କହିଲେ- ମୁଁ ପରା ବୈରାଗୀ। ସବୁ କିଛି ତ୍ୟାଗ କରିଛି। ମୁଁ ଏଭଳି ଶେଯରେ ନୁହେଁ, ନଡ଼ାର ଶଯ୍ୟାରେ ଶୁଏ। ଆଶ୍ରମରେ ନଡ଼ା ନ ଥିଲା। ନଡ଼ା ଯୋଗାଡ଼ କରିବା ଲାଗି ଶିଷ୍ୟମାନଙ୍କୁ ଅନେକ ଯୋଗାଡ଼ଯନ୍ତ୍ର କରିବାକୁ ହେଲା। ବୈରାଗୀ ଅଳ୍ପ କିଛି ଖାଇ ନଡ଼ାର ଶଯ୍ୟାରେ ଶୋଇେଲ। ପର ଦିନ ସକାଳୁ ସେ ବିଦାୟ ନେବା ବେଳେ ଆଶ୍ରମର ଗୁରୁଙ୍କୁ ଭେଟିଲେ ଏବଂ ଆତିଥେୟତା ଲାଗି ଧନ୍ୟବାଦ ଜଣାଇବା ସହିତ କହିଲେ- ମହାତ୍ମା, ମୋତେ ଆଶ୍ରୟ ଦେଇଥିବାରୁ ଧନ୍ୟବାଦ। କିନ୍ତୁ କଥାଟିଏ କହିବି, ଖରାପ ଭାବିବେ ନାହିଁ। ଆପଣ ଜଣେ ସନ୍ନ୍ୟାସୀ ଭାବେ ଯେମିତି ବୈରାଗୀ ହେବା କଥା ହୋଇ ନାହାନ୍ତି।
ଏହା ଶୁଣି ଗୁରୁ କହିଲେ- ମହାଶୟ, ବୈରାଗ୍ୟ ବିଷୟଟିକୁ ବୁଝିବାରେ ଆମ ଦୁହିଁଙ୍କ ଭିତରେ ପାର୍ଥକ୍ୟ ରହିଛି। ଆପଣ ବୈରାଗ୍ୟ କହିଲେ ସଂଯମକୁ ବୁଝନ୍ତି, ତ୍ୟାଗ କରିବାକୁ ବୁଝନ୍ତି, ସେଥି ଲାଗି ଅନେକ ଭଲ ପାଉଥିବା ଚିଜକୁ ସାଧନା କରି ଛାଡ଼ିଛନ୍ତି। ନଡ଼ାର ଶଯ୍ୟା ନ ହେଲେ ଶୋଉ ନାହାନ୍ତି। କିନ୍ତୁ ଆମ ଲାଗି ବୈରାଗ୍ୟର ଅର୍ଥ ହେଲା ଭିତରେ ଏମିତି ଭାବଟିଏ ଜାଗ୍ରତ ହେବା, ଯାହା ମନରୁ ଆସକ୍ତି ଦୂର କରିବ। ଆମେ ମସିଣାରେ ଶୋଉଛୁ। ତାକୁ କାଢ଼ି ନେଇ ନଡ଼ାର ଶେଯ ଦେଲେ ବି ସମାନ ଆନନ୍ଦରେ ଶୋଇବୁ। କିଛି ନ ମିଳିଲେ ଭୂମି ଉପରେ ଶାନ୍ତିରେ ଶୋଇବୁ ଏବଂ ଯଦି ରାଜା ତାଙ୍କ ଉଆସରେ ତୁଳିତଳ୍ପ ଶଯ୍ୟାରେ ଶୁଆନ୍ତି, ତେବେ ବି ସେଇ ସୁଖରେ ଶୋଇବୁ। ବୈରାଗ୍ୟ ଆମ ଲାଗି ସାଧନା ନୁହେଁ, ଏହା ଆମ ଲାଗି ଏକ ସ୍ବାଭାବିକତାରେ ପରିଣତ ହୋଇଛି। ଆମ ନିକଟରୁ ସବୁ ଚାଲିଗଲେ ବି ଦୁଃଖ ନାହିଁ। ଆମ ଆଗରେ ସବୁ କିଛି ଅଜାଡ଼ି ଦେଲେ ବି ଭାବାନ୍ତର ସୃଷ୍ଟି ହେବାର ପ୍ରଶ୍ନ ନାହିଁ।